ମହାନଦୀ, ବ୍ରାହ୍ମଣୀ, ବୈତରଣୀ ସମେତ ୫ ନଦୀର ପାଣି ପ୍ରଦୂଷିତ । ପରିବେଶ ମନ୍ତ୍ରୀଙ୍କ ଉତ୍ତର

180

କନକ ବ୍ୟୁରୋ: ଜଳ ପାଲଟୁଛି ଜହର । ଗୋଟିଏ ପଟେ ରାଜ୍ୟରେ ଜଳ ସଙ୍କଟ ଦେଖା ଦେଉଥିବା ବେଳେ ଅନ୍ୟପଟେ ନଦୀଦଳ ଜହର ପାଲଟୁଛି । ବିଭିନ୍ନ ନଦୀର ଜଳ ପ୍ରଦୂଷିତ ହେବା କାରଣରୁ ଏହା ପରିବେଶ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେବେ ବର୍ତ୍ତମାନ ରାଜ୍ୟର ୫ଟି ନଦୀର ଜଳ ସାଙ୍ଘାତିକ ରୂପେ ପ୍ରଦୂଷିତ ହୋଇଛି ।

ମହାନଦୀର ୨ଟି ସ୍ଥାନରେ, ଶଙ୍ଖ ନଦୀର ଗୋଟିଏ ସ୍ଥାନରେ, କୋଏଲ ନଦୀର ଗୋଟିଏ ସ୍ଥାନରେ, ବ୍ରହ୍ମଣୀ ନଦୀର ୪ଟି ସ୍ଥାନରେ ଏବଂ ବୈତରଣୀ ନଦୀର ୩ଟି ସ୍ଥାନରେ ଜଳ ପ୍ରଦୂଷିତ ହେଉଛି । ତେବେ ମୋଟ ୫ଟି ନଦୀର ୧୧ ସ୍ଥାନରେ ଜଳ ପ୍ରଦୂଷଣ ହେଉଥିବା ନେଇ ଆଜି ବିଧାନସଭାରେ ରିପୋର୍ଟ ଦେଇଛନ୍ତି ମନ୍ତ୍ରୀ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଜଳ ପ୍ରଦୂଷଣ ଉତ୍ତର ରଖିଛନ୍ତି ।

ତେବେ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଆରୁଖ । କଟକ ଓ ସମ୍ବଲପୁରରେ ମହାନଦୀ ଜଳ ସହରର ଆବର୍ଜନା ପାଣିରୁ ପ୍ରଦୂଷିତ ହେଉଛି । ସେହିପରି ରାଉରକେଲାରେ ଷ୍ଟିଲ ପ୍ଲାଣ୍ଟର ବର୍ଜ୍ୟବସ୍ତୁ ଓ ଡ୍ରେନ ପାଣି କାରଣରୁ ବ୍ରାହ୍ମଣୀ ନଦୀ ଦୂଷିତ ହେଉଛି । ତାବାଦ୍ ଶଙ୍ଖ ଓ କୋଏଲ ମନୁଷ୍ୟକୃତ କାରଣରୁ ପ୍ରଦୂଷିତ ହେଉଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ତେବେ ଏସବୁ ନଦୀ ଜଳକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଆଉ ପ୍ରଦୂଷଣମୁକ୍ତ କରିବା ପାଇଁ ଜଳ ଯୋଗାଣ ଓ ସ୍ୱରେଜ ବୋର୍ଡ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରାଯାଉଥିବା ମନ୍ତ୍ରୀ କହିଛନ୍ତି । ସମ୍ବଲପୁରରେ ଜାଇକା ପକ୍ଷରୁ ୪୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ବର୍ଜ୍ୟଜଳ ବିଶୋଧନାଗାର ସ୍ଥାପନା ହେଉଛି । ସେହିପରି କଟକ, ରାଉରକେଲା ସମେତ ୧୧ଟି ସ୍ଥାନରେ ନଦୀ ପ୍ରଦୂଷଣ ରୋକିବାକୁ ମାରାଥନ କାମ ଚାଲିଛି ।