କାହିଁକି ଏଟିଏମରେ ଟଙ୍କା ନାହିଁ ! ଜାଣନ୍ତୁ ଏଟିଏମ କ୍ୟାସଲେସ ହେବାର ପୂରା ସତ

40

ଏଟିଏମ ସମ୍ମୁଖରେ ପୁଣି ଲମ୍ବା ଲାଇନ । ନୋଟବନ୍ଦୀ ସମୟରେ ଯେଉଁଭଳି ପରିସ୍ଥିତି ଉପୁଜିଥିଲା ତାହା ଝଲକ ପୁଣିଥରେ ଦେଖିବାକୁ ମିଳିଛି । ଏପରିକି ବିଭିନ୍ନ ରାଜ୍ୟରେ ଏଟିଏମରେ ଟଙ୍କା ମିଳୁନଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସକରି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାରଖଣ୍ଡ, ଓଡ଼ିଶା ଓ ଗୁଜରାଟରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ତେବେ ହଠାତ୍ ଏଭଳି ପରିସ୍ଥିତି ଉପୁଜିଥିବାରୁ ଅଡୁଆରେ ପଡିଛନ୍ତି ସରକାର । ଏଭଳି ସମସ୍ୟାକୁ ନେଇ ସାଧାରଣ ଲୋକ ଚିନ୍ତାରେ ଥିବା ବେଳେ ସାମ୍ନାକୁ ଆସିଛି ଆରବିଆଇ । ଆବଶ୍ୟକତାରୁ ଅଧିକ ପରିମାଣର ଟଙ୍କା ଉଠାଣ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆରବିଆଇ କହିଛି । ତେବେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।ତେବେ ଏଟିଏମରେ ଟଙ୍କା ନ ରହିବାର ପ୍ରକୃତ କାରଣ କଣ ଆସନ୍ତୁ ଜାଣିବା ।

ସରକାରଙ୍କ ଅନୁଯାୟୀ, ଏବେ ବିଭିନ୍ନ ରାଜ୍ୟରେ ବିହୁ, ବୈଶାଖୀ ଓ ନୂଆ ବର୍ଷ ପାଇଁ ସାଧାରଣ ଲୋକ ଅଧିକ ନଗଦ ଟଙ୍କା ଆବଶ୍ୟକ କରୁଛନ୍ତି । ତେଣୁ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଲୋକମାନେ ଏଟିଏମ ଠାରୁ ଅଧିକ ଟଙ୍କା ଉଠାଉଛନ୍ତି । ଫଳରେ ଏଟିଏମରେ ଟଙ୍କା ରହୁନାହିଁ । ତେବେ ଏହି ସମସ୍ୟା ଦୂର କରିବା ପାଇଁ ଅର୍ଥ ମନ୍ତ୍ରାଳୟ ରିଜର୍ଭ ବ୍ୟାଙ୍କର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆରବିଆଇ ସୂତ୍ର ଅନୁଯାୟୀ, ଗୋଟିଏ ରାଜ୍ୟର ନଗଦ ଟଙ୍କାର ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ରାଜ୍ୟ ଉପରେ କିଛି ଦିନ ପର୍ଯ୍ୟନ୍ତ ଅଙ୍କୁଶ ଲଗାଯାଇଥାଏ । ଉଦାହରଣ ଅନୁଯାୟୀ, ଶନିବାର ଆସାମରେ ବିହୁ ପର୍ବ ପାଇଁ ଲୋକ ମାନେ ଅଧିକ ମାତ୍ରାରେ ଏଟିଏମରୁ ନଗଦ ଟଙ୍କା ଉଠାଇଥିଲେ । ତେଣୁ ଏହାର ଭରଣା କରିବା ପାଇଁ ଅନ୍ୟ ରାଜ୍ୟକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ଟଙ୍କାର ପରିମାଣକୁ କିଛି ମାତ୍ରାରେ କମାଇ ଦିଆଯାଇଥିଲା ।

ଏହାଛଡା ବଜାରକୁ ୫୦୦ ଓ ୨୦୦୦ ଟଙ୍କିଆ ବଡ ନୋଟ ଆସିବା ପରେ ଖୁଚୁରା ସମସ୍ୟା ଦେଖା ଦେଇଥିଲା । ତେଣୁ ଏହି ସମସ୍ୟା ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କ ୨୦୦ ଓ ୫୦ ଟଙ୍କିଆ ନୋଟ ବଜାରକୁ ଛାଡିଥିଲା । ତେବେ ଖୁଚୁରା ସମସ୍ୟା ଦୂର କରିବା ପାଇଁ ଯେତିକି ଟଙ୍କା ଆବଶ୍ୟକୀୟ ତାହା ଏଯାଏଁ ବଜାରକୁ ଆସିନି । ତେବେ ନୂଆ ନୋଟ ବଜାରକୁ ବଜାରକୁ ଆସିଲେ ଲୋକ ଏହାକୁ ଖର୍ଚ୍ଚ କରିବା ପରିବର୍ତ୍ତେ ପାଖରେ ରଖିଥାନ୍ତି । ତେଣୁ ଏଟିଏମରେ ଟଙ୍କା ନ ରହିବାର ଏହା ମଧ୍ୟ ଏକ କାରଣ ହୋଇପାରେ । ଏହାଛଡା ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ରହିଛି । ତେଣୁ ସେଠାରେ ଏବେ ନଗଦ ଟଙ୍କାର ଅଧିକ ଆବଶ୍ୟକତା ରହୁଛି । ଏସବୁ ବ୍ୟତୀତ ଏବେ ବାହାଘର ରତୁ ଚାଲୁଥିବାରୁ ଲୋକଙ୍କର ଅଧିକ ମାତ୍ରାରେ ନଗଦ ଟଙ୍କାର ଆବଶ୍ୟକତା ରହୁଛି । ଫସଲ ଅମଳ ସମୟ ହୋଇଥିବାରୁ ଚାଷୀ ମାନଙ୍କର ମଧ୍ୟ ନଗଦ ଟଙ୍କା ଦରକାର ପଡୁଛି । ଫଳରେ ଏଟିଏମ କ୍ୟାସଲେସ ଭଳି ସମସ୍ୟା ଦେଖା ଦେଉଛି । ଏନେଇ ସୋସିଆଲ ମିଡିଆରେ ଲୋକମାନେ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ତେବେ ଏହି ସମସ୍ୟା ଏବେ ମୋଦି ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।