କନକ ବ୍ୟୁରୋ : ଲୋକସେବା ଭବନରେ ଦିନ ସାଢ଼େ ୧୧ଟାରେ ଆରମ୍ଭ ହୋଇଥିଲା ମୋହନ ସରକାରର ଦ୍ବିତୀୟ କ୍ୟାବିନେଟ୍ ବୈଠକ। ଆଉ ଦିନ ୨ଟା ୩୦ ପର୍ୟ୍ୟନ୍ତ ପ୍ରାୟ ୩ଘଂଟା ଧରି ଚାଲିଥିଲା ବୈଠକ। ଯାହାକି ପୂର୍ବ ସରକାର ସମୟରେ ପ୍ରାୟତଃ ଦେଖିବାକୁ ମିଳୁନଥିଲା। ମାତ୍ର କିଛି ମିନିଟରେ ସରିଯାଉଥିବା କ୍ୟାବିନେଟ, ଆଜି ୩ଘଂଟା ପର୍ୟ୍ୟନ୍ତ ଚାଲିଥିଲା। ପ୍ରତି ପ୍ରସ୍ତାବ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତି ପ୍ରସ୍ତାବର ଆବଶ୍ୟକତା, କାର୍ୟ୍ୟକାରିତା ଏବଂ ପ୍ରଭାବ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

Advertisment

ପ୍ରତିଟି ପ୍ରସ୍ତାବ ଉପରେ ବିଭାଗୱାରୀ ସଚିବଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। କ୍ୟାବିନେଟରେ ପାରିତ ହୋଇଥିବା ପ୍ରସ୍ତାବର ପ୍ରତିଟି ଧାଡିକୁ ସଚିବମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହ ବିଜେପି ସରକାରର ୧୦୦ଦିନର ଖସଡାକୁ କିପରି କାର୍ୟ୍ୟକାରୀ କରାଯିବ ସେଥିପାଇଁ ବ୍ୟବସ୍ଥା କରିବାକୁ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପ୍ରଥମ ଦିନରେ ପ୍ରଥମ କ୍ୟାବିନେଟ ବୈଠକ କରି, ଶ୍ରୀମନ୍ଦିର ୪ଦ୍ବାର ଖୋଲିବା, ଧାନର ଏମଏସପିକୁ ୩୧ଶହ ଟଙ୍କା କରିବାକୁ ଘୋଷଣା କରିଥିଲେ। ଦ୍ବିତୀୟ କ୍ୟାବିନେଟରେ ଆଜି ପିଏମ କିଷାନରୁ ବାଦ ପଡିଥିବ ୫ରୁ ୬ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ପ୍ରସ୍ତାବ ଉପରେ ମୋହର ବାଜିଛି।