କନକ ବ୍ୟୁରୋ: ନିକଟରେ ଶେଷ ହୋଇଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଆଉ ଏହାର ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଛି । କଂଗ୍ରେସର ବହୁ କସରତ ପରେ ବାଜିମାତ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିଦ୍ଦରମୈୟା । ଏହି ନିର୍ବାଚନୀ ନଦୀ ପାର କରିବା ପାଇଁ କଂଗ୍ରେସ ଯେଉଁ ପାଞ୍ଚପ୍ରତିଶ୍ରୁତି ଦେଇଥିଲା, ତାକୁ ପୂରଣ କରିବାକୁ ସରକାରକୁ ଖର୍ଚ୍ଚ କରିବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା । ପ୍ରତିଶ୍ରୁତି ପୂରଣ ପାଇଁ ବର୍ଷକୁ ୪୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଅନୁମାନ କରାଯାଇଛି । ହିସାବ ଅନୁଯାୟୀ, ଏହାଦ୍ୱାରା ବେଙ୍ଗାଲୁରୁ ବାହାରେ ରହୁଥିବା ପ୍ରତି ପରିବାରର ବାର୍ଷିକ ଆୟ ୫୫ ହଜାର ଟଙ୍କା ବା ସେମାନଙ୍କ ମୁଣ୍ଡପିଛା ଆୟ ବର୍ତମାନ ତୁଳନାରେ ୨୫ ପ୍ରତିଶତ ବୃଦ୍ଧି ପାଇବ । କଂଗ୍ରେସ ଗବେଷଣା ବିଭାଗ ଅଧ୍ୟକ୍ଷ ଏମଭି ରାଜୀବ ଗୌଡ଼ାଙ୍କ ମତ ଅନୁସାରେ ,ଏହି ପ୍ରତିଶ୍ରୁତି ଗୁଡ଼ିକ ମୁଦ୍ରାସ୍ପୀତି ଓ ଆୟ ସ୍ଥିରତା ଉପରେ ପ୍ରଭାବ ପ୍ରକାଇବ ।
କଂଗ୍ରେସର ୫ ପ୍ରତିଶ୍ରୁତି
ଯୋଜନା ଖର୍ଚ୍ଚ
ଗୃହ ଲକ୍ଷ୍ମୀ ୩୧,୨୦୦ କୋଟି
ଅନ୍ନଭାଗ ୪,୫୦୦ କୋଟି
ଉଚ୍ଛିତ ପ୍ରୟାଣ ୨,୪୬୪ କୋଟି
ଗୃହ ଜ୍ୟୋତି ୫,୪୬୦ କୋଟି
ଯୁବ ନିଧି ୧,୩୫୦ କୋଟି
ସେପଟେ ପୂର୍ବରୁ ଥିବା ବିବାଦୀୟ ଆଇନ ଉପରେ କର୍ଣ୍ଣାଟକର ନୂଆ ସରକାର ସିଦ୍ଦରମୈୟା ସମୀକ୍ଷା କରିଛନ୍ତି । ବିଭିନ୍ନ ଘଟଣା ଉପରେ କିପରି ସୁଧାର ଆସିବ, ଏନେଇ ଆରମ୍ଭ କରିଛନ୍ତି ଯୋଜନା । ତେବେ ବିଜେପି ସରକାର ସମୟରେ କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ଲଗାଯାଇଥିବା ବ୍ୟାନ ଓ ଗୋ ହତ୍ୟା ଉପରୁ ବ୍ୟାନ ପ୍ରତ୍ୟାହାର କରାଯିବା ନେଇ ସୂଚନା ମିଳିଛି ।
କର୍ଣ୍ଣାଟକ ହାଇକୋର୍ଟ ପୂର୍ବ ବିଜେପି ସରକାରଙ୍କ ନିଷ୍ପତିକୁ ଠିକ ମାନି ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଗ୍ରହଣ କରିଥିଲେ । ତେବେ ଏବେ ପୁଣି କଂଗ୍ରେସ ସରକାର ବ୍ୟାନ ହଟାଇବାକୁ ନିଷ୍ପତି ନେଲେ, ଆଗକୁ ରାଜନୀତି ତେଜିବ ବୋଲି ଜଣାପଡ଼ିଛି ।