ଦିଲ୍ଲୀ ଦରବାରରେ ପାୱାରଫୁଲ ୫ ଓଡ଼ିଆ ପୁଅ । ରିଜର୍ଭ ବ୍ୟାଙ୍କରୁ ଏନସିବି ଅଫିସ ଯାଏଁ ରହିଛି ଓଡ଼ିଆଙ୍କ ଦବଦବା,  ଯାହାଙ୍କ କାମକୁ ପୂରା ଦେଶ କରିଛି ପ୍ରଂଶସା ।

492

କନକ ବ୍ୟୁରୋ : ମୋଦୀ ସରକାରରେ ଓଡ଼ିଆଙ୍କ ଦବଦବା । କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଦିଲ୍ଲୀ ଦରବାରରେ ବଢିଛି ଓଡ଼ିଆ ପୁଅଙ୍କ ଦବଦବା । ଦେଶର ପ୍ରତିଷ୍ଠିତ ସରକାରୀ ଅନୁଷ୍ଠାନର ଉଚ୍ଚ ପଦପଦବୀରେ ଶୀର୍ଷ ସ୍ଥାନରେ ବସିଛନ୍ତି ଓଡ଼ିଆ ପୁଅ । ଆଉ ଏହାସହ ଦେଶର ପାୱାରଫୁଲ ତାଲିକାରେ ଜଣକ ପରେ ଜଣେ ଓଡ଼ିଆଙ୍କ ନାଁ ଯୋଡି ହେଉଛି । ଗତ କିଛିବର୍ଷ ହେବ ଏହି ଟ୍ରେଣ୍ଡ ଆରମ୍ଭ ହୋଇଛି । କେବଳ ଉଚ୍ଚ ପଦବୀରେ ବସିନାହାନ୍ତି ବରଂ ମୋଦୀ ସରକାରଙ୍କ ବିଶ୍ୱାସ ଓ ଭରସା ଜିଣିଛନ୍ତି । ସରକାରଙ୍କ ଅନେକ ସମସ୍ୟାକୁ ସମାଧାନ କରିଛନ୍ତି ଆଉ ଚ୍ୟାଲେଞ୍ଜିଂ କାମକୁ ସହଜ କରି ସରକାରଙ୍କ ମନ ଜିଣିଛନ୍ତି । ଯେଉଁଥିପାଇଁ ଓଡ଼ିଆ ପୁଅଙ୍କ ହାତରେ ବଡ ବଡ଼ ଦାୟିତ୍ୱ ଦେବାକୁ ମଧ୍ୟ ପଛାଉନାହାନ୍ତି ମୋଦୀ ସରକାର । ଆଉ ଏହି କ୍ରମରେ ଏବେ ପୁଣିଥରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିବା ଶକ୍ତିକାନ୍ତ ଦାଶଙ୍କ କାର୍ଯ୍ୟକାଳକୁ ଆହୁରି ୩ ବର୍ଷ ବଢାଇଛନ୍ତି ସରକାର । ଆଉ ଏହି ଦାୟିତ୍ୱ ମିଳିବା ପରେ ପୁଣିଥରେ ଦିଲ୍ଲୀ ଦରବାରରେ ଓଡ଼ିଆଙ୍କୁ ନେଇ ଚର୍ଚ୍ଚା ବଢିଛି । ତେବେ ନଜର ପକାନ୍ତୁ ସେହି ଓଡ଼ିଆ ବ୍ୟକ୍ତି ବିଶେଷଙ୍କ ଉପରେ ଯେଉଁମାନେ ମୋଦୀ ସରକାରରେ  ଅଧିକ ଚର୍ଚ୍ଚାରେ ରହିବା ସହ ଟପ୍ ପୋଷ୍ଟରେ ରହିଛନ୍ତି ।

ଶକ୍ତିକାନ୍ତ ଦାସ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମୋଦୀ ସରକାରରେ ବେଶ ପାୱାରଫୁଲ ଭାବେ ଜଣାଶୁଣା । ଖାସକରି କରୋନା କାଳରେ ଭାରତୀୟ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବା ବେଳେ ଶକ୍ତିକାନ୍ତ ସଙ୍କଟମୋଚକ ସାଜିଥିଲେ । ଯେଉଁଥିପାଇଁ ଖୁବ୍ କମ ସମୟରେ ଭାରତୀୟ ଅର୍ଥବ୍ୟବସ୍ଥା ପୁଣିଥରେ ଅଣ୍ଟା ସଳଖି ଛିଡା ହେବାକୁ ସକ୍ଷମ ହୋଇଥିଲା । ଆଉ ଭାରତୀୟ ଅର୍ଥବ୍ୟବସ୍ଥାକୁ ଆହୁରି ଆଗକୁ ନେବାକୁ ଏବେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳକୁ ଆହୁରି ୩ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଡିସେମ୍ବର ୧୦ରେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଆଉ ୩ ବର୍ଷ ଏହାକୁ ବୃଦ୍ଧି କରିଛନ୍ତି ମୋଦୀ ସରକାର । ୨୦୧୮ରେ ଉର୍ଜିତ ପଟେଲ ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ଓଡ଼ିଆ ପୁଅ ଶକ୍ତିକାନ୍ତଙ୍କୁ ଏହି ଗୁରୁଦାୟିତ୍ୱ ଦେଇଥିଲେ କେନ୍ଦ୍ର ସରକାର । ୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡରର ଆଇଏଏସ ଶକ୍ତିକାନ୍ତ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇବା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି ।

ପି.କେ ମିଶ୍ର : ୧୯୭୨ ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ପ୍ରମୋଦ କୁମାର ମିଶ୍ର । ସମ୍ବଲପୁରରେ ଜନ୍ମିତ ପ୍ରମୋଦ ଏବେ ଦିଲ୍ଲୀ ଦରବାରରେ ସବୁଠୁ ଚର୍ଚ୍ଚିତ ଚେହେରା । ୨୦୧୯ ସେପ୍ଟେମ୍ବରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ପି.କେ ମିଶ୍ର । ଏହାପୂର୍ବରୁ ମୋଦି ସରକାରର ପ୍ରଥମ ପାଳିରେ ପିଏମଓରେ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି ପି.କେ । ଏହାଛଡା ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି ପି.କେ ମିଶ୍ର । ଗୁଜୁରାଟରୁ ଗଢି ଉଠିଥିବା ସମ୍ପର୍କ ଏବେ ଦିଲ୍ଲୀ ଦରବାରରେ ପ୍ରମୋଦଙ୍କୁ ପାୱାରଫୁଲ ବ୍ୟକ୍ତି ଭାବେ ସାମ୍ନାକୁ ଆଣିଛି ।

ଗିରୀଶ ଚନ୍ଦ୍ର ମୁର୍ମୁ : ଦେଶର ମହାଲେଖା ନିୟନ୍ତ୍ରକ ବା ସିଏଜି । ପ୍ରଥମ ଓଡ଼ିଆ ଭାବେ ଏହି ସର୍ବୋଚ୍ଚ ପଦରେ ବସିଛନ୍ତି ଗିରୀଶ । ୧୯୮୫ ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ଗିରୀଶ ଏହା ପୂର୍ବରୁ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବା ପରେ ଗିରୀଶଙ୍କୁ ଉପରାଜ୍ୟପାଳ ଭାବେ ଗୁରୁଦାୟିତ୍ୱ ଦେଇଥିଲେ ମୋଦି ସରକାର । ଆଉ ଏହି ଦାୟିତ୍ୱକୁ ବେଶ ସଫଳତାର ସହ ତୁଲାଇଥିଲେ ଗିରୀଶ ।  ଏପରିକି ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରମୁଖ ସଚିବ ଭାବେ କାମ କରିଛନ୍ତି ଗିରୀଶ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଗିରୀଶଙ୍କୁ ନେଇ ଅନେକ ସମୟରେ ପାୱାର କରିଡରରେ ଚର୍ଚ୍ଚା ହୁଏ । ଏପରିକି ମୋଦୀଙ୍କ ବିଶ୍ୱସ୍ତ ଅଫିସର ଭାବେ ପାୱାର କରିଡରରେ ଜଣାଶୁଣା ଗିରୀଶ ।

ମୃତ୍ୟୁଞ୍ଜୟ ମହାପାତ୍ର : ସାଇକ୍ଲୋନ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବେ ଦେଶର ପ୍ରତିଟି ଘରେ ଜଣାଶୁଣା ଓଡ଼ିଆ ପୁଅ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଯାହାଙ୍କୁ ଆଇଏମଡି ବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ମୋଦି ସରକାର । ପାଣିପାଗ ଓ ବାତ୍ୟାର ସଠିକ ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ମୃତ୍ୟୁଞ୍ଜୟ । ଏହାଛଡା ମୃତ୍ୟୁଞ୍ଜୟଙ୍କ ସଠିକ ଆକଳନ ପାଇଁ ୟାସ, ଅମ୍ଫାନ, ଫୋନି, ଫାଇଲିନ, ହୁଡହୁଡ, ତିତଲି ଭଳି ବଡ ବିପର୍ୟ୍ୟୟର ସଫଳ ମୁକାବିଲା କରି ପାରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ମହାବାତ୍ୟା ଭଳି ମହାସଙ୍କଟ ସମୟରେ ମୃତ୍ୟୁଞ୍ଜୟଙ୍କୁ ଆଗ ଖୋଜନ୍ତି ମୋଦୀ ସରକାର । ମୃତ୍ୟୁଞ୍ଜୟଙ୍କ ସଠିକ ଆକଳନ କେବଳ ଯେ ବଡ ବଡ ସଙ୍କଟରୁ ରକ୍ଷା କରିଛି ତାହା ନୁହେଁ ବରଂ ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି ।

ସତ୍ୟ ନାରାୟଣ ପ୍ରଧାନ : ଦିଲ୍ଲୀ ଦରବାରରେ ଉଚ୍ଚ ପଦବୀରେ ରହିଥିବା ଆଉ ଜଣେ ଓଡ଼ିଆ ପୁଅ ହେଉଛନ୍ତି ସତ୍ୟ ନାରାୟଣ ପ୍ରଧାନ । ଖାସକରି ସତ୍ୟନାରାୟଣ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଶାହାରୁଖଙ୍କ ପୁଅକୁ ଏନସିବି ଗିରଫ କରିବା ପରେ ସତ୍ୟନାରାୟଣଙ୍କୁ ନେଇ ଦେଶରେ ଚର୍ଚ୍ଚା ବଢିଥିଲା । କାରଣ ସତ୍ୟନାରାୟଣ କହିଥିଲେ, ସିଏ ଯିଏ ହେଉନା କାହିଁକି ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି । ଅଭିଯୁକ୍ତଙ୍କୁ ଧରିବା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ । ଏଭଳି କହି ଦେଶବାସୀଙ୍କ ମନ ଜିଣିଥିଲେ ନବନିଯୁକ୍ତ ଏନସିବିର ମୁଖ୍ୟ ସତ୍ୟନାରାୟଣ ପ୍ରଧାନ ।  ୧୯୮୮ ବ୍ୟାଚ୍ ଝାଡଖଣ୍ଡ କ୍ୟାଡରର ଆଇପିଏସ ଅଫିସର ସତ୍ୟନାରାୟଣ ୨୦୧୯ରେ  ଏନଡିଆରଏଫ ଡିଜି ଭାବେ ଦାୟିତ୍ୱ ତୁଲାଇଛନ୍ତି । ପ୍ରାକୃତିକ ଦୁର୍ବିପାକ ପରେ ସତ୍ୟନାରାୟଣଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ବନ୍ୟା, ବାତ୍ୟା, ପରେ ପରେ ଏହି ଅଫିସରଙ୍କ ନେତୃତ୍ୱରେ ଏନଡିଆରଏଫ ଯବାନଙ୍କ ଉଦ୍ଧାର କାର୍ଯ୍ୟକୁ ପୂରା ଦେଶ ପ୍ରଂଶସା କରିଛି । ଆଉ ଏବେ ଏନସିବିର ନିର୍ଦ୍ଦେଶକ ଭାବେ ନିଶା ମୁକ୍ତ ଭାରତ ପାଇଁ ସତ୍ୟନାରାୟଣ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ବେଶ ପ୍ରଂଶସନୀୟ ।