ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର: ସମସ୍ତ ଆକ୍ରାନ୍ତ ବାଲେଶ୍ୱର କଣ୍ଟେନମେଣ୍ଟ ଜୋନର । ୫ ଜଣଙ୍କ ମଧ୍ୟରେ ୪ ମହିଳା ଓ ଜଣେ ଯୁବକ; ସମସ୍ତ ଆକ୍ରାନ୍ତଙ୍କଠାରେ ଦେଖାଦେଇଛି ସାମାନ୍ୟ ଲକ୍ଷଣ

୪ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୨୨,୨୩,୨୯ ଓ ୫୫ ବର୍ଷ ଏବଂ ଅନ୍ୟ ଜଣେ ୨୭ ବର୍ଷୀୟ ଯୁବକ । ୫ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି

1,685

କନକ ବ୍ୟୁରୋ: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ ପଜିଟିଭ୍ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସମସ୍ତ ୫ ଆକ୍ରାନ୍ତ ବାଲେଶ୍ୱର କଂଟେନମେଂଟ ଜୋନର ବୋଲି ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳା ହୋଇଥିବାବେଳେ ଜଣେ ପୁରୁଷ ରହିଛନ୍ତି । ୪ଜଣ ମହିଳାଙ୍କ ବୟସ ୫୫,୨୨ , ୨୩ ଓ ୨୯ ବର୍ଷ ହୋଇଥିବାବେଳେ ପୁରୁଷ ଜଣଙ୍କ ୨୭ ବର୍ଷ ବୟସର ଯୁବକ । ସମସ୍ତଙ୍କ ନିକଟରେ ଅଳ୍ପ କିଛି କରୋନା ଲକ୍ଷଣ ଦେଖା ଦେଇଥିଲା । ସମସ୍ତେ କ୍ୱାରେଂଟିନରେ ରହିଥିଲେ । ସେମାନେ କୁଆଡେ ଯାଇଥିଲେ ଓ କାହା କାହା ସଂସ୍ପର୍ଶରେ ଆସିଥିଲେ ସେସବୁର କଂଟ୍ରାକ୍ଟ ଟ୍ରେସିଂ ଚାଲିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ, ରାଜ୍ୟର ୧୦୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ଏହି ଆକ୍ରାନ୍ତ ଜଣଙ୍କ ରାଉରକେଲା ନାଲା ରୋଡର ୬୦ ବର୍ଷ ବୟସ୍କ ବ୍ୟକ୍ତି । ସେ ଲକଡାଉନ ଯୋଗଁ ମାର୍ଚ୍ଚ ୨୨ରୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ଘରେ ରହିଥିଲେ । ୨୧ ଏପ୍ରିଲରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ସାଧାରଣ ଥଣ୍ଡା ପାଇଁ ଚିକିତ୍ସିତ ହୋଇଥିଲେ । ତାଙ୍କୁ ୨୩ ଏପ୍ରିଲରୁ ହାଇଟେକ୍ କୋଭିଡ୍ –ହସ୍ପିଟାଲ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ୨୫ ଏପ୍ରିଲରେ ତାଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେହିଦିନ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । କରୋନା ଚିହ୍ନଟ ହେବା ପରେ ତାଙ୍କୁ ୨୫ତାରିଖରୁ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି ।

ତେବେ ରାଜ୍ୟର ଆଉ ପାଂଚ ନୂଆ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ୫ ନୂଆ ଆକ୍ରାନ୍ତ ବାଲେଶ୍ୱରର । ପାଂଚ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ୩୫ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ୭୨ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଗୋଟିଏ ଦିନରେ ରାଜ୍ୟରେ ମୋଟରେ ୨ ହଜାର ୨୮୭ ଟି ନମୁନା ପରୀକ୍ଷା ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟରେ ୨୫ ହଜାର ୧୦୩ଟି ନମୁନା ପରୀକ୍ଷା କରାଗଲାଣି ।