ବାଲିଗୁଡା ଆରଟିଆଇ କର୍ମୀ ଅଭିମନ୍ୟୁ ହତ୍ୟା ଘଟଣାର ପର୍ଦ୍ଦାଫାସ: ୫ ଅଭିଯୁକ୍ତ ଗିରଫ, ମାର୍କେଟ କମ୍ପେ୍ଲସ ବିବାଦରୁ ଘଟାଇଥିଲେ ଜଘନ୍ୟକାଣ୍ଡ

ସୁପାରି କିଲରଙ୍କୁ ଦିଆଯାଇଥିଲା ଲକ୍ଷେ ଟଙ୍କା

381

କନକ ବ୍ୟୁରୋ: କନ୍ଧମାଳ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ପର୍ଦ୍ଦାଫାସ କଲା ପୋଲିସ୍ । ମାର୍କେଟ କମ୍ପେ୍ଲସ ଉଚ୍ଛେଦକୁ ନେଇ ଅଭିମନ୍ୟୁଙ୍କର ବିଶ୍ୱଜିତ୍ ପାତ୍ରଙ୍କ ସହ ବିବାଦ ରହିଥିଲା । ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ରାସ୍ତାରୁ ହଟାଇବା ପାଇଁ ରଚାଯାଇଥିଲା ବଡ଼ ଧରଣର ଷଡ଼ଯନ୍ତ୍ର । ସୁପାରୀ କିଲରଙ୍କୁ ଡକାଇ ଅଭିମନ୍ୟୁଙ୍କୁ ହତ୍ୟା କରିବାକୁ ଲକ୍ଷେ ଟଙ୍କା ସୁପାରୀ ଦେଇଥିଲେ ବିଶ୍ୱଜିତ । ଆଉ ଯୋଜନା ଅନୁଯାୟୀ ଗତ ୧୦ ତାରିଖରେ ଅଭିମନ୍ୟୁଙ୍କୁ ହତ୍ୟା କରିଥିଲେ ସୁପାରୀ କିଲର ।

 

ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ୍ ପାତ୍ର ସମେତ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ସାମ୍ବାଦିକ ସମ୍ମିଳନୀରେ ଏନେଇ ଆଜି ସୂଚନା ଦେଇଛନ୍ତି କନ୍ଧମାଳ ଏସପି ପ୍ରତୀପ ସିଂ । ଏସପି କହିଛନ୍ତି  ୧୦ ତାରିଖ ଦିନ ସକାଳେ ଅଭିମନ୍ୟୁଙ୍କୁ ଘରୁ ଡାକି ନେଇ ଦୁବୃର୍ତ୍ତମାନେ । ଅଭିମନ୍ୟୁ ଘରୁ ବାହାରକୁ ଆସିବା ପରେ ତାଙ୍କୁ କିଛି କାଗଜ ଦେଖାଇବା ସହ ଗୁଳି କରି ଦୁବୃର୍ତ୍ତମାନେ ଫେରାର ହୋଇଯାଇଥିଲେ । ବାଲିଗୁଡା ମେଡିକାଲରେ ଅଭିମନ୍ୟୁଙ୍କର ମୃତ୍ୟୁ ହୋଇଥିଲା । ତେବେ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୩ ଗୁଳି, ୬ଟି ମୋବାଇଲ ଜବତ କରିଛି ପୋଲିସ୍ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି କେ. ବିଶ୍ୱଜିତ୍ ପାତ୍ର,ଏସ ବାଲାଜୀ ଆଚାର୍ଯ୍ୟ, ରାସବିହାରୀ ଦାସ ।

ଏଠାରେ ଆମେ କହି ରଖୁଛୁ କି, ସାରଙ୍ଗଗଡ଼ ସ୍ଥିତ କନ୍ଧମାଳ କଲେଜ ହଷ୍ଟେଲ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ, ରାସ୍ତା ଦୁର୍ନୀତି, ମଦ ଦୋକାନ ଲାଇସେନସରେ ଅନିୟମିତତା ଭଳି ଅନେକ ପ୍ରସଙ୍ଗକୁ ସାମ୍ନାକୁ ଆଣିଥିଲେ ଅଭିମନ୍ୟୁ ପଣ୍ଡା । ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଜବରଦଖଲକାରୀଙ୍କୁ ହଟାଇବାରେ ଥିଲା ତାଙ୍କର ପ୍ରମୁଖ ଭୂମିକା । ଏ ନେଇ ଅନେକ ଯନ୍ତ୍ରୀ, ଠିକାଦାର, ଟ୍ରଷ୍ଟର ସଦସ୍ୟ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ତେବେ ସୂଚନା ଆଇନ ଅଧିକାର ଆଇନ ବଳରେ କନ୍ଧମାଳ ଜିଲ୍ଲାରେ ବଡ଼ ଧରଣର ‘ପିଡିଏସ୍ ସ୍କାମ୍’ ଧରିଥିଲେ ଅଭିମନ୍ୟୁ ।