ରକ୍ତଚରିତ୍ର ଗ୍ୟାଙ୍ଗର ଆଉ ୨ଜଣ ଗିରଫ : ଭିଡିଓ ଭାଇରାଲ ପରେ ୭ଜଣଙ୍କୁ ଗିରଫ କଲାଣି କମିଶନରେଟ ପୋଲିସ

ହେଲେ ଏବେବି ମୁଖିଆ ବୁବୁର ମିଳୁନି ପତା; ଡିସିପି କହିଲେ, ଭୟ ବଢାଇଲା ଭଳି ଭିଡିଓ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ

155

କନକ ବ୍ୟୁରୋ : ହାତରେ ମାରଣାସ୍ତ୍ର ଧରି ଉତ୍ପାତ କରୁଥିବା ରକ୍ତଚରିତ୍ର ଗ୍ୟାଙ୍ଗର ଆଉ ୨ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବିଭିନ୍ନ ମାରଣାସ୍ତ୍ର ଧରି ଉତ୍ପାତ କରୁଥିବା ଏହି ଗ୍ୟାଙ୍ଗର ଭିଡିଓ ଭାଇରାଲ ପରେ ମୋଟ ୭ଜଣଙ୍କୁ ଗିରଫ କଲାଣି କମିଶନରେଟ ପୋଲିସ । ହେଲେ ଏବେବି ଗ୍ୟାଙ୍ଗର ମୁଖିଆ ବୁବୁର ମିଳୁନି ପତା । ସୂଚନା ମିଳିଛଇ ୪ଦିନ ତଳେ ପୁରୀରେ ସେ ସ୍ପେଶାଲ ସ୍କ୍ୱାଡକୁ ଚକମା ଦେଇ ଚମ୍ପଟ ମାରିଥିଲା । ଏହାପରେ ପୋଲିସ ଆଉ ତାର ଟେର ପାଉନି ।

ମୁଖିଆ ବୁବୁ ଓ ତା’ କେବିଏନ୍‌ ଗ୍ୟାଙ୍ଗ୍‌କୁ ଧରିବା ପାଇଁ କମିସନରେଟ୍ ପୁଲିସ ବିଭିନ୍ନ ସହରରେ ଜାଲ ବିଛାଇଛି । ବିଶେଷକରି ପୁରୀ, ବ୍ରହ୍ମପୁର, କଟକ ଓ କେନ୍ଦ୍ରାପଡ଼ାରେ ପୁଲିସ ନେଟ୍‌ୱର୍କ ଚଳଚଞ୍ଚଳ ହୋଇପଡ଼ିଛି । ମାତ୍ର ଧୂର୍ତ୍ତ ବୁବୁ ଓ ତା’ ଗ୍ୟାଙ୍ଗ୍‌ ପୁଲିସ ଜାଲରେ ପଡ଼ୁନାହାନ୍ତି। ଗତ ୪ ଦିନ ତଳେ ନୂଆପଲ୍ଲୀ ଥାନା ପୁଲିସ ଓ ସ୍ପେସାଲ୍ ସ୍କ୍ବାଡ୍ ପୁରୀରେ ଜାଲ ବିଛାଇଥିଲେ । ଖବର ବି ସତ ଥିଲା । ଏକ ସ୍କୁଟିରେ ବୁବୁ ବୁଲୁଥିବା ଦେଖିବାକୁ ମିଳିଥିଲା । ମାତ୍ର ପୁଲିସ ତାକୁ ଘେରିଗଲାଣି ବୋଲି ସେ ବି ଜାଣିପାରିଲା । ତେଣୁ ପୁଲିସ ଟିମ୍‌ ତା’ ପାଖରେ ପହଞ୍ଚିବା ବେଳକୁ ସେ ଏକ ଗଳିରେ ପଶି ଚମ୍ପଟ୍ ମାରିଥିଲା। ପୁଲିସ ଗାଡ଼ି ତାକୁ ପ୍ରାୟ ୪/୫ କିମି ପିଛା କଲା, କିନ୍ତୁ ଗଳି ରାସ୍ତା‌ରେ ତାକୁ ଗୋଡ଼ାଇବା ସମ୍ଭବ ହେଲା ନାହିଁ । ଏହା ପରେ ପୁଲିସ ପୁରୀରେ ଡେରା ପକାଇଲେ ବି ବୁବୁ ସେଠାରୁ ବାହାରକୁ ଖସି ପଳାଇଥିବା ଜଣାପଡ଼ିଥିଲା ।

କେବିଏନ୍‌ ଗ୍ୟାଙ୍ଗ୍‌ର ମୁଖିଆ ଦେବୀପ୍ରସାଦ ଜେନା ଓରଫ ବୁବୁ ହେଉଛି ଜଣେ ପୂର୍ବତନ ପୁଲିସ କର୍ମଚାରୀଙ୍କ ପୁଅ । ପିସିଆର୍‌ ଡ୍ରାଇଭର ଥିବା ବୁବୁର ବାପାଙ୍କୁ ବିଭିନ୍ନ ସଂଗିନ୍‌ ଅଭିଯୋଗ କାରଣରୁ ଚାକିରିରୁ ବହିଷ୍କାର କରାଯାଇଛି । ମାତ୍ର ଏବେ ବି କିଛି ପୁଲିସ କର୍ମଚାରୀଙ୍କ ସହ ବୁବୁ ବାପାଙ୍କର ଘନିଷ୍ଠତା ରହିଛି । ତେଣୁ ପୁଲିସ ଚଢ଼ଉ ବାବଦରେ ଆଗୁଆ ସୂଚନା ପାଇ ବୁବୁ ସହଜରେ ଚକ୍‌ମା ଦେଇପାରୁଛି ବୋଲି ସନ୍ଦେହ କରାଯାଉଛି । ସେହିଭଳି ବାରମ୍ବାର ରାଜଧାନୀରେ ଗଣ୍ଡଗୋଳ କରୁଥିଲେ ବି କିଛି ପୁଲିସ ଅଧିକାରୀ ତା’ ବିରୋଧରେ କୋହଳ ଦଫା ଲଗାଉଥିବା କୁହାଯାଉଛି । ଫଳରେ ସେ ସହଜରେ ଜାମିନ୍‌ ପାଇ ଜେଲ୍‌ରୁ ମୁକୁଳି ଆସୁଛି । ମାତ୍ର ଏବେ ସେ କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଲକ୍ଷ୍ମୀପୂଜା ଅବସରରେ ସିଆର୍‌ପି ଛକ ଅମ୍ରିତା ମାର୍କେଟ୍ କମ୍ପ୍ଲେକ୍ସରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ଓ ମାରଣାସ୍ତ୍ରରେ ସଜ୍ଜିତ ଏହି ଗ୍ୟାଙ୍ଗ୍‌ର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସର ଚିନ୍ତା ବଢ଼ିଛି । ରାତିରେ ରାଜଧାନୀ‌ ରାଜରାସ୍ତାରେ ଏଭଳି ଗ୍ୟାଙ୍ଗ୍‌ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି ଓ ଉକ୍ତ ଗ୍ୟାଙ୍ଗ୍‌କୁ ତୁରନ୍ତ ଠାବ କରିବାକୁ ପୁଲିସ ଉପରେ ଚାପ ବଢ଼ିଛି । ଅଭ୍ୟାସଗତ ଅପରାଧୀମାନଙ୍କୁ ନେଇ ଗଠିତ ଏହି ଗ୍ୟାଙ୍ଗ୍‌ର ମୁଖିଆ ବୁବୁ ଓ ଅନ୍ୟମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଉଛି ।