କନକ ବ୍ୟୁରୋ: ରାଜ୍ୟରେ ଯେଉଁ ୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ୫ ଜଣ ଭଦ୍ରକ ଜିଲ୍ଲାର ଓ ଦୁଇ ଜଣ ବାଲେଶ୍ବର ଜିଲ୍ଲାର ବୋଲି ଜଣାଯାଇଛି। ତେବେ ଭଦ୍ରକରୁ ଚିହ୍ନଟ ହୋଇଥିବା ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁରରେ ୩ ଓ ଭଣ୍ଡାରୀପୋଖରୀରେ ୨ ଜଣ ଅଛନ୍ତି । ଏନେଇ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପରୀକ୍ଷା କରାଯାଇଥିବା ୧୦ ହଜାର ୬୪୧ଟି ନମୁନା ମଧ୍ୟରୁ ୧୦ ହଜାର ୫୭୩ଟି ନେଗେଟିଭ୍ ଆସିଥିବାବେଳେ ୬୮ ଜଣଙ୍କର ପଜିଟିଭ୍ ବାହାରିଛି ।

Advertisment

ଏବେ ସୁଦ୍ଧା ରାଜ୍ୟରେ ୨୪ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ମାସର ୨, ୮, ୧୨, ୧୫, ୧୬ ଓ ୧୭ତାରିଖରେ ଜଣେ ହେଲେ କରୋନା ସଂକ୍ରମିତ ଚିହ୍ନଟ ହୋଇ ନଥିଲେ। ୨ତାରିଖରେ ୨୧୩ ନମୁନା ପରୀକ୍ଷା ହୋଇଥିବା ବେଳେ ୮ତାରିଖରେ ୪୦୦, ୧୨ତାରିଖରେ ୩୦୮, ୧୫ତାରିଖରେ ୧୧୯୭, ୧୬ତାରିଖରେ ୮୪୩ ଓ ୧୭ ତାରିଖରେ ୧୦୪୨ ନମୁନା ପରୀକ୍ଷା ହୋଇଥିଲା।

ସେହିପରି ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୧୭ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୨୯ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। କଟକ ଓ ପୁରୀରେ ଜଣେ ଲେଖାଏ ସୁସ୍ଥ ହୋଇଥିବା ବେଳେ ଯାଜପୁରରେ ଦୁଇ ଜଣରୁ ଜଣେ, ଭଦ୍ରକରେ ୩ଜଣରୁ ୨ଜଣ, ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଦୁଇ ଜଣରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ, ବାଲେଶ୍ବରର ଜଣେ ଲେଖାଏ ଓ କେନ୍ଦ୍ରାପଡ଼ାର ୨ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି।