ରାଜ୍ୟରେ ୫ ନୂଆ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରୋନା ମୁକାବିଲା ପାଇଁ ୫ ହଜାରକୁ ବୃଦ୍ଧି ପାଇଲା ସ୍ୱତନ୍ତ୍ର ମେଡିକାଲ ବେଡ୍ ।

206

କନକ ବ୍ୟୁରୋ : ଭାରତରେ ଯେଉଁ କେତୋଟି ରାଜ୍ୟ କରୋନା ସଂକ୍ରମଣର ମୁକାବିଲା କରୁଛନ୍ତି, ସେ ଦିଗରେ ଦୁଇ ପାଦ ଆଗରେ ରହିଛି ଓଡିଶା । କୋଭିଡ ହସ୍ପିଟାଲ ମାଧ୍ୟମରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଆଜି କାର୍ଯ୍ୟକ୍ଷମ ହୋଇଛି ୫ଟି କୋଭିଡ ହସ୍ପିଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଜିଲ୍ଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଛନ୍ତି । ଆଜିର କୋଭିଡ ହସ୍ପିଟାଲକୁ ମିଶାଇ ୨୬ଟି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା କୋଭିଡ ହସ୍ପିଟାଲରେ ମୋଟ ୫ହଜାର ବେଡ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ଚିିକିତ୍ସା ସେବା ଯୋଗାଇଦେବାପାଇଁ ଆଉ ୫ କୋଭିଡ ହସ୍ପିଟାଲ ପ୍ରସ୍ତୁତ । ୫ଟି ହସ୍ପିଟାଲ ଖୋଲା ହୋଇଥିବା ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, ବରଗଡ, ଅନୁଗୁଳ, ଜଗତସିଂହପୁର ଏବଂ ନବରଙ୍ଗପୁର । ଏହି ୫ଟି ହସ୍ପିଟାଲରେ ମୋଟ ବେଡ ସଂଖ୍ୟା ହେଉଛି ୮୨୫ । ଏଥସହିତ ରାଜ୍ୟର ୨୬ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ ହସ୍ପିଟାଲ । ଆଉ ବେଡ କ୍ଷମତା ରହିଛି ୫ହଜାର ।

କରୋନା ମହାମାରୀର ମୁକାବିଲା କରିବାରେ ଏହି କୋଭିଡ ହସ୍ପିଟାଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ କେବଳ କରୋନା ସଂକ୍ରମିତ ହିଁ ଏଠାରେ ମାଗଣା ଚିକିତ୍ସିତ ହେବେ । କରୋନା ମୁକାବିଲା ପାଇଁ ଓଡିଶାର ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି ରାଜ୍ୟ ସରକାର । ତେଣୁ ଏହି ହସ୍ପିଟାଲ ସହିତ ଜଡିତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀମାନଙ୍କ ସହିତ ନବୀନ ଆଲୋଚନା କରି ଧନ୍ୟବାଦ ଜଣାଇବା ସହିତ ଜିଲ୍ଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଛନ୍ତି ।

କରୋନା ସହିତ ଚାଲିଥିବା ଏହି ଯୁଦ୍ଧରେ ଓଡିଶାର ପ୍ରାକ୍ ପ୍ରସ୍ତୁତି ସାରାଦେଶରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ଆଉ ଏକ ଉପଲବ୍ଧି ବୋଲି କୁହାଯାଉଛି ଯାହାକି କରୋନା ମୁକାବିଲାରେ ବେଶ ସହାୟକ ହେଉଥିବା ଅନୁମାନ କରାଯାଉଛି ।