ନିର୍ବାଚନ ଯୁଦ୍ଧ ପାଇଁ କେତେ ଜଣ କଲେଣି ନାମାଙ୍କନପତ୍ର ଦାଖଲ? ଜାଣନ୍ତୁ ପୂରା ତାଲିକା

207

କନକ ବ୍ୟୁରୋ :  ୨୦୧୯ ନିର୍ବାଚନ ମହାସମର ପାଇଁ ନାମାଙ୍କନ ପତ୍ର ପାଇଁ ତାରିଖ ଘୋଷଣା ହେବା ପରେ ଏବେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀଙ୍କ ଭିଡ ଦେଖିବାକୁ ମିଳୁଛି । ନାମାଙ୍କନ ପତ୍ର ଦାଖଲ କରିବା ପାଇର୍ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଭିନ୍ନ ଅଞ୍ଚଳରେ ଅନ୍ୟାନ୍ୟ ପ୍ରାର୍ଥୀ ମାନେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ରହିଥିବାରୁ ପ୍ରାର୍ଥୀ ମାନେ ମଧ୍ୟ ନାମାଙ୍କନ ଦାଖଲ କରି ମୈଦାନକୁ ଯିବାକୁ ପ୍ରସ୍ତୁତ ହୋଇଗଲେଣି । କିଏ ଦଳୀୟ ଟିକେଟ ପାଇ ତ ପୁଣି କିଏ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥୁବାର ଦେଖିବାକୁ ମିଳିଛି ।  ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ୫ ଲୋକସଭା ଓ ୨୬ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ।

ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ପାଇଁ ୩ ଜଣ ଓ ବିଧାନସଭା ପାଇଁ ୧୪ ଜଣ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଜଣେ  ଓ ବିଧାନସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୧ରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୮ରେ ହେବ । ଏହାସହ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ମୋଟ ୨୯୧୬ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜିଲ୍ଲା ପ୍ରଶାସନ ଠାରେ ଜିମା ଦିଆଯାଇଛି । ଏହାଛଡା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଗାଡି ମାଲିକଙ୍କ ବିରୋଧରେ ୨୦୭ଟି କେସ ରୁଜୁ କରାଯାଇଛି ।

ଏସବୁ ବାଦ୍ ନିର୍ବାଚନ ସମ୍ପର୍କିତ ଅଭିଯୋଗ ଦାଖଲ ପାଇଁ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷକୁ ବର୍ତ୍ତମାନ ସୁଦ୍ଧା ୧୨୧ଟି କଲ ଆସିଥିବା ବେଳେ ସମସ୍ତଙ୍କୁ ସୂଚନା ପ୍ରଦାନ କରାଯାଇଛି । ସି-ଭିଜିଲ୍ ଆପ୍ ମାଧ୍ୟମରେ ଏବେ ସୁଦ୍ଧା ୨୫୯ଟି ଅଭିଯୋଗ ଗ୍ରହଣ କରାଯାଇଥିବାରୁ ସେଥି ମଧ୍ୟରୁ ୨୩୧ଟି ଅଭିଯୋଗର ସମାଧାନ କରାଯାଇଛି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।