କନକ ବ୍ୟୁରୋ : ଆଜି ‘ମୋ ସରକାର’ ଅଧିନକୁ ଆସିଛି ଆଉ ୫ଟି ବିଭାଗ। ଜଙ୍ଗଲ ଏବଂ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡା ଓ ଯୁବ ସେବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ମୋ ସରକାରରେ ସାମିଲ ହୋଇଛି । ଏହା ଦ୍ୱାରା ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି ସରକାର। ଏଥି ପୂର୍ବରୁ ୧୨ଟି ବିଭାଗ ମୋ ସରକାରରେ ସାମିଲ ହୋଇସାରିଛି।

Advertisment

ଆଜି ଲୋକସେବା ଭବନରେ ମୋ ସରକାର ଅଭିଯାନରେ ଆହୁରି ପାଞ୍ଚଟି ବିଭାଗକୁ ଅନ୍ତର୍ଭୁକ୍ତ କରିବା ଲାଗି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଏବେ ସାଧାରଣ ଲୋକ ନିଶ୍ଚିତ ଭାବରେ ନିଜକୁ ସଶକ୍ତ ଅନୁଭବ କରିବେ । ଏହା ସହ ସେମାନେ ଏକ ପ୍ରକୃତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବାସ କରୁଛନ୍ତି ବୋଲି ଅନୁଭବ କରିବେ।’ ’

ଏହା ସହ ସେ କହିଥିଲେ, ‘ମୁଁ ଆନନ୍ଦିତ ଯେ ଜଙ୍ଗଲ ଏବଂ ପରିବେଶ, ସୂଚନା ଏବଂ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡ଼ା ଏବଂ ଯୁବ ସେବା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଭଳି ୫ଟି ସରକାରୀ ବିଭାଗ ଏହି ବ୍ୟବସ୍ଥାରେ ପ୍ରବେଶ କରିଛନ୍ତି । ମୋ ସରକାର ଭଳି ଏକ ପରିବର୍ତ୍ତନମୂଳକ ପଦକ୍ଷେପରେ ୫ଟି ବିଭାଗ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ମୁଁ ସମସ୍ତ ବିଭାଗକୁ ଅଭିନନ୍ଦନ ଜଣାଉଛି।’

ମୋ ସରକାର ଅଭିଯାନରେ ୫ଟି ବିଭାଗକୁ ଯୋଡ଼ିବା ସହ ସତ୍ୟନଗରରେ ଥିବା ଉନ୍ନତି ଭବନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯୩୨୫୦ ବର୍ଗଫୁଟ ବିଶିଷ୍ଟ ଏହି ସୌଧରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ରହିବ। ଏହି କୋଠାରେ ବର୍ଷା ଜଳ ଅମଳ ବ୍ୟବସ୍ଥା, ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ଏବଂ ସୌର ବିଦ୍ୟୁତ୍ ଉତ୍ପାଦନ ସହିତ ଅନେକ ବିଶେଷ ବ୍ୟବସ୍ଥା ରହିଛି।