ଅସହ୍ୟ ତାତିରେ ଜଳୁଛି ଓଡ଼ିଶା । ଆହୁରି ୫ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ । ତାତି ପାଇଁ ୩ଦିନ ସ୍କୁଲ ଛୁଟି 

2,220

କନକ ବ୍ୟୁରୋ: ରାତି ପାହିଲା ବେଳକୁ ଗୁଳୁଗୁଳି, ଘଣ୍ଟାଏ ପରେ ଆରମ୍ଭ ହୋଇଯାଉଛି ଗରମ । ଦିନ ବଢ଼ିବା ସହ ବଢୁଛି ତାତି । ଘରେ ରହିବା ଯେମିତି ମୁସ୍କିଲ ହେଉଛି, ବାହାରକୁ ବାହାରିଲେ ଅବସ୍ଥା ଆହୁରି ସାଂଘାତିକ ହୋଇ ଯାଉଛି । ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ କଲବଲ କରିଛି । ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ବୋଲି ସତର୍କ କରାଇ ଦେଇଛି । ଦିନ ସହ ରାତିରେ ପ୍ରବଳ ଗରମ ଅନୁଭୂତ ହେବ ।

  • ନୟାଗଡ଼, ମୟୂରଭଞ୍ଜ, ଗଜପତି, ନୂଆପଡ଼ା, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ ଓ ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଛୁଇଁବା ଆଶଙ୍କା
  • ସଂଧ୍ୟାବେଳେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ୨୧ ତାରିଖ ପରେ ଦକ୍ଷିଣ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ହୋଇପାରେ ହାଲୁକା ବର୍ଷା ସମ୍ଭାବନା

ପୂର୍ବରୁ ପଶ୍ଚିମ, ଉପକୂଳରୁ ଉପାନ୍ତ ସବୁଠି ଏକାକାର ସ୍ଥିତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । କେନ୍ଦୁଝର ଭଳି ଖଣି ଅଞ୍ଚଳରେ ଅବସ୍ଥା ସାଂଘାତିକ ହେଉଛି । ପ୍ରବଳ ଖରାରେ ସନ୍ତୁଳି ହେଉଛନ୍ତି ଲୋକେ । ଓଦା କପଡ଼ା ଓ ଛତା ଧରି ବାହାରକୁ ବାହାରୁଛନ୍ତି । ଖରାରୁ ରକ୍ଷା ପାଇବା ପାଇଁ ଲସି, ଆଖୁରସ ଆଦି ଦୋକାନରେ ଲୋକଙ୍କ ଭିଡ଼ ଲାଗୁଛି ।

୩ ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଗ୍ରୀଷ୍ମ ପ୍ରବାହ ଓ ତାତି ବଢ଼ିବା ଯୋଗୁଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୮ ଓ ୧୯ ତାରିଖ ପାଇଁ ମୟୂରଭଞ୍ଜ, ନୂଆପଡ଼ା, ଗଜପତି, ନୟାଗଡ଼ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।