ଭୁବନେଶ୍ୱର ଉପକଣ୍ଠରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ବାଲିଅନ୍ତା ଥାନାରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ

୫ ମାସର ଗର୍ଭବତୀ ଥିଲେ ସୁଚିସ୍ମିତା ସାହୁ; ଗତକାଲି ସ୍ୱାମୀ ସୁବିରଙ୍କ ସହ ହୋଇଥିଲା ପାଟିତୁଣ୍ଡ

1,108

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଂଚଳରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ୫ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ବାଲିଅନ୍ତା ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ୨୦୧୯ ଡିସେମ୍ବର ମାସରେ ସୁବିର ମୁଦୁଲିଙ୍କୁ ବିବାହ କରିଥିଲେ ନୟାଗଡର ସୁଚିସ୍ମିତା ସାହୁ । ଉଭୟ ଉଚ୍ଚଶିକ୍ଷିତ । ପାହଳରେ ସ୍ୱାମୀ ସୁବିରଙ୍କ ସହ ରହୁଥିଲେ ସୁଚିସ୍ମିତା ।

ଗତକାଲି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସୁଚିସ୍ମିତା ବାପାଙ୍କୁ ଫୋନ କରିଥିଲେ । ସେ ଆଉ ରହିବେ ନାହିଁ ବୋଲି କହିଥିଲେ । ପରେ ସୁଚିସ୍ମିତା ଘର କବାଟ ଭିତରୁ ବନ୍ଦ କରିଦେଇଥିବା ନେଇ ଶ୍ୱଶୁରଙ୍କୁ ଫୋନ କରିଥିଲେ ସ୍ୱାମୀ ସୁବିର । ପରେ ସୁଚିସ୍ମିତାଙ୍କ ବାପା-ମାଆ ନୟାଗଡରୁ ଆସି ପାହଳରେ ପହଂଚିଲା ବେଳକୁ ଝିଅର ମୃତ୍ୟୁ ହୋଇସାରିଛି । ଝିଅକୁ ହତ୍ୟା କରାଯାଇଥିଲା ନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁଚିସ୍ମିତାଙ୍କ ବାପା-ମାଆ ।