ବିଚିତ୍ର ବିଧିର ବିଧାନ, ଜିଅନ୍ତା ଜଳିଗଲା ୫ ଜୀବନ । ଏତେ କଠୋର ସାଜିଲା ବିଧାତା, ପୁଅ-ବୋହୁ, ନାତିନାତୁଣୀଙ୍କ ଶବ ମିଳିଲାନି, ପୁଳାପୁଳା ପାଉଁଶ ଗଦାକୁ ଦେଖି ବୁଢ଼ା ବାପା-ମାଆ ପଚାରୁଛନ୍ତି ପିଲାଙ୍କୁ ଚିହ୍ନିବି କେମିତି…

ପୂରା ପରିବାରର ୫ ଜଣ ପାଉଁଶ ପାଉଁଶ ହୋଇଗଲେ । କମଲାଗଞ୍ଜର ନିବାସୀ ମହମ୍ମଦ ଲଇକଙ୍କ ସ୍ତ୍ରୀ ଓ ତାଙ୍କର ତିନୋଟି ପିଲା ଜିଅନ୍ତା ଜଳିଯାଇଛନ୍ତି ।

1,640

କନକ ବ୍ୟୁରୋ: ହ୍ୟାଲୋ…ବାପା ଆମେ କାଲି ସକାଳେ ପହଁଚିବୁ, ଆମକୁ ନେବା ପାଇଁ ବସ୍ ଷ୍ଟାଣ୍ଡକୁ କାହାକୁ ପଠାଇବ… ବାପାଙ୍କ ସହ ଫୋନରେ କଥାହୋଇ ସାରି ବସ୍ ଭିତରେ ଶାନ୍ତିର ନିଦରେ ଶୋଇପଡ଼ିଥିଲେ କମାଲଗଞ୍ଜ ନିବାସୀ ମହମ୍ମଦ ଲଇକ । ଆଉ କିଛି ସମୟ ପରେ ଆଖି ଖୋଲିଲା ବେଳକୁ ସାମ୍ନାରେ ସବୁକିଛି ଜଳୁଛି । ଆମେ କହୁଛୁ, ସାରା ଦେଶକୁ ସ୍ତବ୍ଧ କରିଦେଇଥିବା କନୌଜର କୋହଭରା କାହାଣୀ । ଯାହା କାନରେ କନୌଜ କଥା ପଡୁଛି ତା’ ଛାତି ଥରିଉଠୁଛି । ଗତକାଲି ବିଳମ୍ବିତ ରାତିରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ଫଳରେ ଚାଲିଛି ଯାଇଛ ଅନେକ ଜୀବନ । ଏପରିକି ପାଖାପାଖି ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହି ବସର ନିଆଁ ଏତେ ବର୍ବର ସାଜିଲା ଯେ, ପୂରା ପରିବାରର ୫ ଜଣ ପାଉଁଶ ପାଉଁଶ ହୋଇଗଲେ । କମଲାଗଞ୍ଜର ନିବାସୀ ମହମ୍ମଦ ଲଇକଙ୍କ ସ୍ତ୍ରୀ ଓ ତାଙ୍କର ତିନୋଟି ପିଲା ଜିଅନ୍ତା ଜଳିଯାଇଛନ୍ତି । ଏହି ଖବର ଏବେ ପୂରା ଦେଶବାସୀଙ୍କୁ ମର୍ମାହତ କରିଛି ।

ସୂଚନା ମୁତାବକ, ମହମ୍ମଦ ଲଇକ୍ ଜୟପୁର ଯିବାପାଇଁ ରଜୀପୁରରେ ବସରେ ଚଢ଼ିଥିଲେ । ତାଙ୍କ ସହ ତାଙ୍କ ସ୍ତ୍ରୀ ଏବଂ ତାଙ୍କର ୩ଟି ପିଲା ଥିଲେ । ବାପାଙ୍କ ସହ ଫୋନରେ କଥା ହୋଇ ବସରେ ବସିଲେ ହେଲେ ସେହି ଫୋନ୍ କଲ ଶେଷ କଲ୍ ହେବ ବୋଲି ସେ ସ୍ୱପ୍ନରେ ବି ଭାବିନଥିଲେ । ଗାଁମାଟି କଥା ଭାବି ଭାବି ପରିବାର ସହ ବସରେ ଟିକିଏ ଶୋଇପଡ଼ିଲେ ହେଲେ ଆଖି ଖୋଲିଲା ବେଳକୁ କେବଳ ଚିକ୍ରାର ଚିକ୍ରାର ଶୁଣାଯାଉଥିଲା । କିଛି ବୁଝିବା ପୂର୍ବରୁ ସବୁକିଛି ପାଉଁଶ ହୋଇଗଲା । ଆଉ ସେହି ପାଉଁଶରେ ମିଶିଗଲା ପୂରା ପରିବାର ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକ ପହଁଚିବା ପରେ ନିଜ ପୁଅ ବୋହୁ ଓ ନାତିନାତୁଣୀଙ୍କ ଶବବି ଦେଖି ପାରିଲେନି । ବିଧିର ବିଧାନ ଏତେ କଠୋର ହୋଇଗଲା ଯେ, ବୁଢ଼ା ବାପା-ମାଆଙ୍କୁ କେବଳ ବସ୍ ଭିତରେ କୁଢ଼ କୁଢ଼ ପାଉଁଶ ଗଦା ଦେଖିବାକୁ ମିଳିଲା । ସେହି ପାଉଁଶରୁ କେମିତି ଅବା ଜାଣିବେ କିଏ ପୁଅ, ବୋହୁ ଆଉ କିଏ ନାତିନାତୁଣୀ । ଛାତିରେ ପାଉଁଶକୁ ମାରି ପୂରା ସ୍ତବ୍ଧ ହୋଇଗେଲ ବୁଢ଼ା ବାପା-ମାଆ । ଦଇବ ଏମିତି ଦାଉ ସାଜିଲା ଯୋଉ ପୁଅ ସହ କିଛି ଘଣ୍ଟା ତରେ ଫୋନରେ କଥା ହୋଇଥିଲେ, ସେ ଥିଲା ପୁଅର ଶେଷ ଫୋନ୍ କଲ୍ କାରଣ ସେହି ପୁଅ ସବୁଦିନ ପାଇଁ ଚାଲିଗଲା ନିଅାଁର ପାଟିରେ ପାଉଁଶ ହୋଇଗଲା ପରିବାର ପାଞ୍ଚ ଜୀବନ ।