କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ହୁଏତ ବିଜେପି ନେତାଙ୍କ ହାତରେ ଦଳୀୟ ଟିକେଟ୍ ଥିବ । କିଏ କେଉଁ ଆସନକୁ ଲଢ଼ିବେ, ଚୂଡ଼ାନ୍ତ ହୋଇସାରିଥିବ । କାହିଁକି ନା, ଆଗୁଆ ୧୦୦ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ନେଇ ବିଜେପି ପକ୍ଷରୁ ସୂଚନା ମିଳିଛି । ଆସନ୍ତା ଗୁରୁୁବାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଏହି ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିବାର ସମ୍ଭାବନା ରହିଛି । ତେବେ ଏହି ଶହେ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଓଡ଼ିଶାର ୫ଜଣଙ୍କ ନେତାଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି ।
ସମ୍ଭାବନା, ଆକଳନ ଏବଂ ଅନୁମାନ ଭିତରେ ଓଡ଼ିଶାର ଯେଉଁ ୫ଟି ଲୋକସଭା ଆସନରେ ବିଜେପି ଆଗୁଆ ଟିକେଟ୍ ଘୋଷଣା କରିବା କଥା କୁହାଯାଉଛି, ଏହି ସମ୍ଭାବ୍ୟ ତାଲିକାରେ ରହିଛି ସମ୍ବଲପୁର, ପୁରୀ, ଭୁବନେଶ୍ୱର, ସୁନ୍ଦରଗଡ଼ ଏବଂ କଟକ । ଚର୍ଚ୍ଚା ଅନୁସାରେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଭୁବନେଶ୍ୱରରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁନ୍ଦରଗଡ଼ରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଏବଂ କଟକରୁ ବରିଷ୍ଠ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିପାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ।
ତେବେ ଚର୍ଚ୍ଚିତ ଲୋକସଭା ଆସନ ଏବଂ ଲୋକପ୍ରିୟ ବିଜେପି ନେତା । ନେତା ଦେଖି, ଆସନ ଆକଳନ କରିବା ପଛରେ ବି ଯଥେଷ୍ଟ କାରଣ ରହିଛି । ବିଗତ କିଛି ମାସ ଭିତରେ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ଲୋକସଭା କ୍ଷେତ୍ରରେ ବେଶ ରାଜନୈତିକ ସକ୍ରିୟତା ଦେଖାଇଛନ୍ତି । ଲୋକଙ୍କୁ ଭେଟିବା, ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସମ୍ବଲପୁର ଆସନକୁ ନେଇ ଧର୍ମେନ୍ଦ୍ରଙ୍କ ନାଁ ଆହୁରି ଚର୍ଚ୍ଚା ସୃଷ୍ଟି କରିଛି । ସେହିପରି ପୁରୀରେ ସମ୍ବିତ ପାତ୍ର, ସୁନ୍ଦରଗଡ଼ରେ ଜୁଏଲ୍ ଓରାମ ମଧ୍ୟ ବେଶ ସକ୍ରିୟ ଅଛନ୍ତି । ଭୁବନେଶ୍ୱର ଆସନ ପାଇଁ ଅପରାଜିତାଙ୍କୁ ରିପିଟ୍ କରିବା ଚର୍ଚ୍ଚା ମଧ୍ୟ ଅସ୍ୱାଭାବିକ୍ ଲାଗୁନି । ଆଉ ରହିଲା କଟକ ଆସନ କଥା, ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଭଳି ସୁନାମଧନ୍ୟ ଓ ସ୍ୱଚ୍ଛ ଚେହେରା, ବିଜେପି ପାଇଁ ଲାଭ ଦାୟକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ଖାଲି ସେତିକି ନୁହେଁ, ଓଡ଼ିଶାର ୫ ଲୋକସଭା ଆସନକୁ ନେଇ ଚର୍ଚ୍ଚାର ଖୋରାକ୍ ଯୋଗାଇଛି, ବିଜେପିର ଆଗୁଆ ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା ଖବର । ଏହି ଖବରର ବିଶ୍ୱସନୀୟତା ଆହୁଛି ବଢ଼ାଇ ଦେଇଛି ଗୁରୁବାର ଦିନ ବସିବାକୁ ଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ।
ଆଗୁଆ ଟିକେଟ୍ ଘୋଷଣା ହେବାକୁ ଥିବା ନାଁ ଗୁଡ଼ିକରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ସଡ଼କ ପରିବହନ ମନ୍ତ୍ରୀଙ୍କ ନାଁ ରହିଥିବା ନେଇ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/1-45.jpg)