କନକ ବ୍ୟୁରୋ: ଯେଉଁ କାମ ୨୦୨୦ ଅଗଷ୍ଟ ମାସରେ କରିବା କଥା, ୨ ବର୍ଷ ପରେ କରିଛି ବିଂଝାରପୁର ଥାନା । ଦୁଇ ଦିନ ତଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଫିସ ସମୁଖରେ ମାଆ ମୋନାଲିସା ନାୟକ ଧାରଣା ଦେବା ଏବଂ ଗଣମାଧ୍ୟମରେ ତଦନ୍ତ ଅବହେଳା ନେଇ ଖବର ପ୍ରସାରଣ ପରେ ପିହୁକୁ ଖୋଜିବା ପାଇଁ ଅଣ୍ଟା ଭିଡ଼ିଛି ପୁଲିସ । ପିହୁ ସମ୍ପର୍କରେ ଜଣାଇଲେ ସୂଚନାଦାତାଙ୍କୁ ୫ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି । ବିଭିନ୍ନ ସ୍ଥାନରେ ପିହୁ ନିରୁର୍ଦ୍ଦିଷ୍ଟ ନେଇ ପୋଷ୍ଟର ପୋଲିସ ପକ୍ଷରୁ ଲଗାଯାଇଛି । ତେବେ ପୁଲିସ ତଦନ୍ତରେ ତାଙ୍କର ଭରସା ନାହିଁ ବୋଲି କହିଛନ୍ତି ପିହୁଙ୍କ ମାଆ । ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ମୋନାଲିସା ।

Advertisment

ପିହୁ ନିଖୋଜ ହୋଇଯାଇଥିଲା ୨୦୨୦ ଅଗଷ୍ଟ ୯ ତାରିଖରେ । ମଧୁସୂଦନପୁର ଗାଁ ଦାଣ୍ଡରେ ପିହୁ ଖେଳୁଥିବା ବେଳେ ତାକୁ ଅପହରଣ କରି ନିଆଯାଇଥବା ନେଇ ବିଂଝାରପୁର ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ସେତେବେଳେ ମାମଲାକୁ ଗୁରୁତ୍ୱ ଦେଇନଥିଲା ପୁଲିସ । ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଭୁବନେଶ୍ୱରରେ ବିଭାଗୀୟ ମନ୍ତ୍ରୀ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କୁ ଗୁହାରି କରିଥିଲେ ବି କିଛି ଫଳ ମିଳିନଥିବା ଅଭିଯୋଗ କରିଛନ୍ତି ମୋନାଲିସା । ସେ କହିଛନ୍ତି, ୧୫ ଦିନ ସମୟ ଦେଇଛନ୍ତି, ଉଚ୍ଚସ୍ତରୀୟ ତଦନ୍ତ ନହେଲେ ଧାରଣାରେ ବସିବେ ।

ଏବେ ପ୍ରଶ୍ନ ଉଠୁଛି, କୁଆଡେ ଚାଲିଗଲା ପିହୁ?
କାହିଁକି ମାମଲାକୁ ପ୍ରଥମରୁ ଗୁରୁତର ସହ ନେଇନଥିଲା ପୁଲିସ?
ମାମଲାକୁ ଚାପି ଦେବା ପାଇଁ ହେଉଥିଲା କି ଉଦ୍ୟମ?
ଏବେ ପୋଷ୍ଟର ଲଗାଇ କାମ ସାରିଦେବ ନା’ ତଦନ୍ତ ଆଗକୁ ବଢ଼ାଇବ?

ପିହୁ ନିଖୋଜ ହେବା ବେଳେ ତାକୁ ଦୁଇ ବର୍ଷ ହୋଇଥିଲା । ଏବେ ପାଖାପାଖି ୪ ବର୍ଷ ହେବ । କଅଁଳ ବୟସରେ ଏବେ ସେ କେଉଁଠି ଓ କିପରି ଅବସ୍ଥାରେ ଥିବ, ଏହା ସବୁଠୁ ଚିନ୍ତାଜନକ । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ମାଆ କୋଳକୁ କେବେ ଫେରିବ ପିହୁ ।