ଗଛ ଲଗାଇବା ନାଁରେ ଗିଳିଦେଲେ ଟଙ୍କା । ୧୭୦୦ ଗଛ ଲଗାଇବାକୁ ବିଲ୍ ହୋଇଛି, ମାତ୍ର ୩୬ଟି ଗଛ ଲାଗିଛି ।

151

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସବୁ ସ୍ତରରେ ବୃକ୍ଷରୋପଣକୁ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି । ମାତ୍ର ବୃକ୍ଷରୋପଣ ପରିବର୍ତ୍ତେ ସରକାରୀ କର୍ମଚାରୀ ଏହି ଟଙ୍କାକୁ ଚଳୁ କରି ନେଉଛନ୍ତି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୭ ଶହ ଗଛ ଲଗା ଯାଇଥିବା ଏବଂ ଏହାକୁ ବାଡବନ୍ଦୀ କରାଯାଇଥିବା ଦର୍ଶାଇ ସରକାରୀ ସ୍ତରରେ ବିଲ କରାଯାଇଛି । ମାତ୍ର ପ୍ରକୃତ ସ୍ଥିତି ଯେଉଁ ଅଂଚଳରେ ବୃକ୍ଷରୋପଣ ଦର୍ଶାଯାଇଛି, ସେଠାରେ ମାତ୍ର ୩୬ଟି ଗଛ ରହିଛି । ଯାହା ରାଜନଗର ବ୍ଲକର କୋଇଲିପୁର ପଞ୍ଚାୟତର ଆଉଏକ ଦୁର୍ନୀତିକୁ ସାମ୍ନାକୁ ଆଣିଛି ।

କେନ୍ଦ୍ରାପଡା କୋଇଲିପୁରରେ ଦୁର୍ନୀତିର ପେଡି ଖୋଲୁଛି । ସରକାରୀ କ୍ୱାର୍ଟର ନକରି ଅର୍ଥ ହରିଲୁଟ କେଳେଙ୍କାରୀର ଚର୍ଚ୍ଚା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଦୁର୍ନୀତି ସାମ୍ନାକୁ ଆସିଛି । ପଞ୍ଚାୟତ ଇଶାଣିପଲ୍ଲାର ରାଧାକୃଷ୍ଣ ମନ୍ଦିର ଓ ଶନି ମନ୍ଦିର ଗୋଟିଏ ସ୍ଥାନରେ ରହିଛି । ଏହି ଦୁଇ ମନ୍ଦିରକୁ ଲାଗିକରି ଖେଳପଡିଆ ଦୀର୍ଘବର୍ଷ ତଳୁ ରହିଛି । ଏହାର ଚାରିପଟେ ବୃକ୍ଷରୋପଣ ପାଇଁ ମନରେଗା ଯୋଜନାରେ ୨୦୨୦-୨୧ ଆର୍ôଥକ ବର୍ଷରେ ୫ ଲକ୍ଷ ଟଙ୍କାର ଫାଇଲ ଖୋଲାଯାଇଥିଲା ।

ସରକାରୀ ରିପୋର୍ଟ ଅନୁସାରେ
– ୨୦୨୦ ସେପ୍ଟେମ୍ବର ମାସରେ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ ହୋଇଥିଲା
– ବୃକ୍ଷରୋପଣ ପାଇଁ ୧୭୦୦ ଚାରା ୨୧ ହଜାର ୧୩୧ ଟଙ୍କାରେ ଆସିଥିଲା
– ବାଉଁଶ ବାଡ ବାବଦକୁ ୧ ଲକ୍ଷ ୧୬ ହଜାର ୭୫୬ ଟଙ୍କା
– ଗାଈ ଗୋବର ବାବଦକୁ ୬୭ ହଜାର ୬୮୯ ଟଙ୍କା
– ସୂଚନା ଫଳକ ବାବଦକୁ ୪ ହଜାର ଟଙ୍କା ଉଠାଯାଇଛି
– ୯୪୦ ଜଣ ଶ୍ରମିକ କାମ କରିଥିବା ଦର୍ଶାଇ ୨ ଲକ୍ଷ ୨ ହଜାର ୨୬୬ ଟଙ୍କା ଉଠାଇଯାଇଛି
-ମାତ୍ର ଗ୍ରାଉଣ୍ଡ ଜିରୋରେ ୩୬ଟି ଗଛ ରହିଛି

ଯେଉଁ ଖେଳ ପଡିଆର ଚତୁଃପାଶ୍ୱର୍ରେ ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କା ଉଠାଯାଇଛି, ଏବେ ସେହି ଖେଳ ପଡିଆ ନଣ୍ଡା ଭୁଇଁ ପାଲଟିଛି । ବୃକ୍ଷରୋପଣ ହୋଇଥିବା ସ୍ଥାନରେ ସମୁଦାୟ ୩୬ଟି ଗଛ ଥିବାବେଳେ କିପରି ୧୭୦୦ ଗଛ ପାଇଁ ବିଲ କରାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ସମସ୍ତ ସରକାରୀ ଅଧିକାରୀ ଓ ପୂର୍ବତନ ସରପଞ୍ଚ ମିଳିମିଶି ଏହି ଅର୍ଥକୁ ହଡ଼ପ କରିଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଦୁଇମାସ ହେବ ଏହି ପଞ୍ଚାୟତରୁ ଅନେକ ଦୁର୍ନୀତି ସାମ୍ନାକୁ ଆସୁଛି । ତଥାପି ଏପର୍ଯ୍ୟନ୍ତ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।