କନକ ବ୍ୟୁରୋ: କାଳିଆ ଦର୍ଶନରୁ ଆରମ୍ଭ ହୋଇଛି ନୂଆବର୍ଷ । ନୂଆବର୍ଷ ପାଇଁ ଆଜି ଚଳଚଞ୍ଚଳ ହୋଇପଡ଼ିଥିଲା ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶରେ କମ୍ପିଉଠିଥିଲା ପୂରା ପରିବେଶ । ପ୍ରତି ଶ୍ରଦ୍ଧାଳୁଙ୍କ ମୁହଁରେ ଶୁଭୁଥିଲା ଜୟ ଜଗନ୍ନାଥ ଧ୍ୱନି । ବେଳାଭୂମିରୁ ଆରମ୍ଭ କରି ଶ୍ରୀମନ୍ଦିର ସବୁଠି ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଜନଗହଳି ।

Advertisment

ତେବେ ସକାଳର ସୂର୍ଯ୍ୟ ଶ୍ରୀମନ୍ଦିର ଉପରେ ପଡ଼ିବା ଆଗରୁ ଲୋକାରଣ୍ୟ ହୋଇସାରିଥିଲା ବଡ଼ ଦାଣ୍ଡ । ଦିଅଁ ଦର୍ଶନରୁ ବର୍ଷର ଆରମ୍ଭ ଲକ୍ଷ୍ୟରେ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥିଲେ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଭକ୍ତଙ୍କ ଆଗମନକୁ ଲକ୍ଷ୍ୟରେ ରଖି ପ୍ରଶାସନ ବି ପ୍ରସ୍ତୁତ ଥିଲା । ମଧ୍ୟରାତ୍ରରୁ ଫିଟିଥିଲା ପହୁଡ଼ । ଠାକୁର ଦର୍ଶନ ପାଇଁ କୋଣ ଅନୁକୋଣରୁ ଛୁଟି ଆସିଥିଲେ ଶ୍ରଦ୍ଧାଳୁ । କାହାରି ମୁହଁରେ କ୍ଲାନ୍ତି ନଥିଲା । କେବଳ ଶୁଭୁଥିଲା ଜୟ ଜଗନ୍ନାଥ ଧ୍ୱନି ।

ରବିବାର ରାତି ୯ଟା ୩୫ରେ ପଡ଼ିଥିଲା ମହାପ୍ରଭୁଙ୍କୁ ପହଡ଼ । ୧୨ଟା ୪୨ରେ ପହୁଡ଼ ଫିଟିବା ପରେ ରାତି ୧୨ଟା ୫୫ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଶ୍ରଦ୍ଧାଳୁ । ନୀତିକାନ୍ତି ପରେ ରାତି ୧ଟା ୪୦ରୁ ଆରମ୍ଭ ହୋଇଥିଲା ଦର୍ଶନ । ପ୍ରତି ଘଣ୍ଟାରେ ୧୮ରୁ ୨୦ହଜାର ଭକ୍ତ ଦର୍ଶନ କରିଥିଲେ । ସିଂହଦ୍ୱାର ଫିଟିବା ପରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆଇଜି, ଡିଆଇଜିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ । ମହାମହିମ ରାଜ୍ୟପାଳ ମଧ୍ୟ ନୂଆବର୍ଷର ଆରମ୍ଭ ମହାପ୍ରଭୁଙ୍କ ଦର୍ଶନରୁ କରିଛନ୍ତି ।

ଏସବୁ ଭିତରେ ଭକ୍ତଙ୍କ ସୁବିଧା ପାଇଁ ନୂଆ ଏସି ସେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସେହିପରି ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ ମଧ୍ୟ ଲାଗୁ ହୋଇଛି । ଶାଳିନତା ପୋଷାକ ପରିଧାନ, ପାନ ଗୁଟଖା ଉପରେ କଟକଣା ସହ ଶ୍ରୀମନ୍ଦିର ଭିତରକୁ ପ୍ଲାଷ୍ଟିକ ପଲିଥିନ ବ୍ୟାନ୍ କରାଯାଇଛି ।

ଭକ୍ତିର ଏହି ଭାବମୟ ପରିବେଶ ଭିତରେ ମନ ଜିଣି ନେଇଥିଲେ ଜଣେ କୁନିଭକ୍ତ । ଭକ୍ତଙ୍କ ସେବା ଓ ଶୃଙ୍ଖଳାରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ନିଜ ହାତରେ ବୁଲିବୁଲି ମହାପ୍ରଭୁଙ୍କ ମହାପ୍ରସାଦକୁ ବାଣ୍ଟିଥିଲେ । ସ୍କୁଲରେ ପଢୁଥିବା ଝିଅଟି ସମସ୍ତଙ୍କ ଭଳି ଠାକୁର ଦର୍ଶନରୁ ବର୍ଷର ଆରମ୍ଭ କରିବାକୁ ନିଷ୍ପତି ନେଇଥିଲେ । ସୂଚନାଯୋଗ୍ୟ ଯେ, ନୂଆବର୍ଷରେ ପ୍ରାୟ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶାନ୍ତିଶୃଙ୍ଖଳା ସହ ଶ୍ରୀଜିଉଙ୍କ ଦର୍ଶନ କରି ଫେରିଛନ୍ତି ।