ୟୁପି ବିଜନୋର ଠାରେ ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ୫ ଶ୍ରମିକଙ୍କ ମୃତ୍ୟୁ, ୪ ଜଣ ଗୁରୁତର । ମାଲିକ ଗିରଫ୍

77

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଜନୋର ଜିଲ୍ଲା ବକ୍ସିବାଲା ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ କାରଖାନାରେ କାମକରୁଥିବା ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।
ସୂଚନା ମୁତାବକ ଗୁରୁବାର ଦ୍ୱିପ୍ରହର ପାଖା ପାଖି ୧ ଟା ସମୟରେ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଥିଲା । ସେତେବେଳେ କାରଖାନା ଭିତରେ ୯ ଜଣ ଶ୍ରମିକ କାମ କରୁଥିଲେ । ବାରୁଦରେ ନିଆଁ ଲାଗିବା ଫଳରେ ଏଭଳି ବିସ୍ଫୋରଣ ହୋଇଥିବା କୁହାଯାଇଛି । ପୋଲିସ ଓ ପ୍ରଶାସନ ପୁରା ଘଟଣାର ଯାଂଚ କରୁଛନ୍ତି । ଅନ୍ୟପଟେ ବାଣ କାରଖାନାର ମାଲିକ ୟୁସୁଫ୍ କୁ ଗିରଫ୍ କରାଯାଇଥିବା କଥା କହିଛନ୍ତି ବିଜୋନର ଏସପି ଡ. ଧର୍ମବୀର ସିଂ ।

ବିସ୍ଫୋରଣ ଫଳରେ ଫ୍ୟାକ୍ଟ୍ରିିର ଗୋଟିଏ ଅଂଶ ସମ୍ପୂର୍ଣ୍ଣ ଜଳି ଯାଇଛି । ସବୁଠାରୁ ବଡକଥା ହେଉଛି ଯେ ଭିତରେ ଶ୍ରମିକମାନେ କାମ କରୁଥିବା ବେଳେ ବାହାରପଟୁ ତାଲା ପଡିଥିଲା ଫଳରେ ବିସ୍ଫୋରଣ ପରେ ଶ୍ରମିକମାନେ ବାହାରକୁ ବାହାରିପାରି ନଥିଲେ । ଏଥିରୁ ଅନୁମାନ କରାଯାଉଛି କି ଏଠାରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା ।

ଏଭଳି ଘଟଣାର ସୂଚନା ପାଇବା ପରେ ୟୁ.ପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ କହିଛନ୍ତି ।