ସରକାରଙ୍କ ବଡ ଘୋଷଣା । ଯୌନକର୍ମୀଙ୍କୁ ମିଳିବ ମାଗଣା ରାସନ ସହ ଆର୍ଥିକ ସହାୟତା । ଅନ୍‌ଲାଇନ ପାଠ ପଢିବା ପାଇଁ ସେମାନଙ୍କ ପିଲାଙ୍କୁ ବି ମିଳିବ ସାହାଯ୍ୟ

1,251

କନକ ବ୍ୟୁରୋ : ଦେଶରେ ଏବେ କରୋନା ମହାମରୀ ଯୋଗୁଁ ଲୋକମାନଙ୍କ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି । ଛୋଟ ଛୋଟ ବେପାରୀ, ଦୈନିକ ମଜୁରୀଆ, ଓ ବିଭିନ୍ନ ଶିଳ୍ପରେ କାମ କରୁଥିବା କର୍ମଚାରୀ ମାନଙ୍କ ଅବସ୍ଥା ପୁରା ବେହାଲ ହୋଇ ପଡିଛି । ସେମାନଙ୍କୁ ସରକାରଙ୍କ ତରଫରୁ ମହାମାରୀ ଆରମ୍ଭରୁ କିଛି ନା କିଛି ସହାୟତା ଯୋଗାଇ ଦିଆଯାଉଛି । ହେଲେ କୌଣସି ରାଜ୍ୟ ସରକାର ବା କେନ୍ଦ୍ରସରକାର ଯୌନକର୍ମୀ ମାନଙ୍କ ପାଇଁ କିଛି ବି ସହାୟତା ରାଶି ଘୋଷଣା କରି ନାହାନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ସରକାର ତାଙ୍କ ରାଜ୍ୟରେ ଥିବା ଯୌନକର୍ମୀ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ।

ମହାରାଷ୍ଟ୍ର ସରକାରଙ୍କ ଘୋଷଣା ମୁତାବକ ତାଙ୍କ ରାଜ୍ୟରେ ଥିବା ୫,୬୦୦ ଯୌନକର୍ମୀ ମାନଙ୍କୁ କରୋନା ମହାମାରୀ ଚାଲିଥିବା ଯାଏ ସହାୟତା ପ୍ରଦାନ କରାଯିବ । ଯୌନକର୍ମୀ ମାନଙ୍କୁ ମାସିକ ମୁଣ୍ଡପିଛା ୫ କିଲୋଗ୍ରାମ ରାସନ ଦେବାକୁ ସରକାର ଘୋଷଣା କରିଥିବା ବେଳେ ମାସକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହା ସହ ସେମାନଙ୍କ ପିଲାମାନେ ଅନଲାଇନରେ ପାଠ ପଢିବା ପାଇଁ ମାସିକ ୨.୫୦୦ ଟଙ୍କା ଦିଆଯିବ । ଦେଶରେ ଏଭଳି ସହାୟତା ଘୋଷଣା କରିଥିବା ପ୍ରଥମ ରାଜ୍ୟ ହେଉଛି ମହାରାଷ୍ଟ୍ର ।

ଏକ ବେସରାକାରୀ ସ୍ୱେଚ୍ଛାସେବୀ ସଂଗଠନ କହିବା ମୁତାବକ ଯୌନକର୍ମୀ ଭାବେ କାମ କରୁଥିବା ମହିଳାମାନଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କ ପାଖରେ ନା ଅଛି ଆଧାରକାର୍ଡ ନା ଅଛି ରାସନକାର୍ଡ । ଅନ୍ୟପଟେ ଅଧିକାଂଶ ଯୌନକର୍ମୀଙ୍କ ପାଖରେ ବ୍ୟାଙ୍କ୍ ଖାତା ବି ନାହିଁ । ତେଣୁ ଏମାନଙ୍କୁ ସହାୟତା ରାଶି ଦେବା ଆଗରୁ ସରକାର ସେମାନଙ୍କର ପ୍ରକୃତ ଚିହ୍ନଟ କରିବାର ଆବଶ୍ୟକତା ରହିଛି। କହିରଖୁ କି ଦେଶରେ ମହାରାଷ୍ଟ୍ର ସବୁଠାରୁ କରୋନାରେ ବେଶି ପ୍ରଭାବିତ ହୋଇଛି । ଏହି କ୍ରମରେ ମହାରାଷ୍ଟ୍ରରେ ଯୌନକର୍ମୀ ଭାବେ କାମ କରୁଥିବା ଲୋକଙ୍କ ହାତରେ କାମ ନାହିଁ । ଫଳରେ ସେମାନେ ଖାଦ୍ୟ ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଅକ୍ଷମ ହୋଇଛନ୍ତି ।

ଏନେଇ ସେମାନେ ବମ୍ବେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଏନେଇ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ରାଜ୍ୟ ସରକାର ସେମାନଙ୍କ ପାଇଁ ମାଗଣା ରାସନର ବ୍ୟବସ୍ଥା କରିବା ସହ ସେମାନଙ୍କୁ ଆର୍ଥିକ ସହାୟତା ଓ ସେମାନଙ୍କ ପିଲା ମାନଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଅ । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏପର୍ଯ୍ୟନ୍ତ ୫,୬୦୦ ଯୌନକର୍ମୀ ଓ ସେମାନଙ୍କର ୧୫୯୨ ପିଲାଙ୍କୁ ଚିହ୍ନଟ କରିଛନ୍ତି । ଚିହ୍ନଟ ପରେ ସେମାନଙ୍କୁ ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ଏକ ସ୍ୱେଚ୍ଛାସେବୀ ସଂଗଠନ କାମ କରୁଥିବା ଜଣାପଡିଛି ।