ଜମ୍ମୁ-କାଶ୍ମୀର ପୁଂଛ ସେକ୍ଟରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ୫ ଯବାନ ସହିଦ

238

କନକ ବ୍ୟୁରୋ: ପୁଂଛ ସେକ୍ଟରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ ହୋଇଛନ୍ତି । ଏବେବି ଜଙ୍ଗଲରେ ୪ ଆତଙ୍କବାଦୀ ଲୁଚିଥିବା ସୂଚନା ରହିଛି । ଏହି ଇଲାକାରେ ଆତଙ୍କବାଦୀମାନେ ଲ୍ୟାଣ୍ଡମାଇନ୍ ମଧ୍ୟ ବିଛାଇଥିବା ଜଣାପଡିଛି ।
ସୂଚନା ମୁତାବକ, ପୁଂଛ ଜିଲ୍ଲାର ଚମରେର ଜଙ୍ଗଲରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ମୁଗଲ ରୋଡ ପଟଦେଇ ଏହି ଜଙ୍ଗଲକୁ ଆତଙ୍କବାଦୀ ପ୍ରବେଶ କରିଥିବା ସୁରକ୍ଷା ଏଜେନ୍ସି ଖବର ଦେଇଥିଲା । ତୁରନ୍ତ ସୁରକ୍ଷା ବଳ ଏଠାରେ ଅପରେସନ୍ ଆରମ୍ଭ କରିଥିଲା । ଫଳରେ ଆତଙ୍କବାଦୀ ଓ ସେନା ଯବାନ ମୁହାଁମୁହିଁ ହୋଇଥିଲେ । ପୁରା ଇଲାକାକୁ ସିଲ କରି ଆତଙ୍କବାଦୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଯବାନ୍ । ହେଲେ ଆତଙ୍କୀଙ୍କ ପାଲଟା ଗୁଳିରେ ଗୁରୁତର ଆହତ ହୋଇଥିଲେ ଯବାନ । ସେମାନଙ୍କ ହସ୍ପିଟାଲ ଯିବା ବାଟରେ ସେମାନେ ସହିଦ ହୋଇଥିଲେ । ଏବେବି ଜଙ୍ଗଲରେ ୩ରୁ ୪ଆତଙ୍କବାଦୀ ଲୁଚି ରହିଥିବା ଖବର ରହିଛି ।

ଜମ୍ମୁ-କାଶ୍ମୀରର ବିଭିନ୍ନ ଇଲାକାରେ ଏବେ ଆତଙ୍କବାଦୀ ସକ୍ରିୟ ଥିବାବେଳେ ସେନା ଅପରେସନ୍ ଜାରି ରଖିଛି । ଆଜି ଅନନ୍ତନାଗ ଓ ବାନ୍ଦିପୋରାରେ ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।