କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସାଇବର ଲୁଟ ମାମଲାରେ ଜାମତାରା ଗ୍ୟାଙ୍ଗର ଲିଙ୍କ୍ । ବ୍ୟାଙ୍କ ଆକାଉଂଟରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣାରେ ଖୋଳତାଡ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ଜାମତାରା ଗ୍ୟାଙ୍ଗର ବୋଲି ସୂଚନା ଦେଇଛି ବାଲେଶ୍ୱର ପୁଲିସ । ସେମାନଙ୍କ ପାଖରୁ ୧ ଲକ୍ଷ ୬୯ ହଜାର ଟଙ୍କା, ୧୦ଟି ମୋବାଇଲ, ୩୯ଟି ସିମକାର୍ଡ ଜବତ କରିଛି । ଗିରଫ ୫ ସାଇବର ଲୁଟେରାଙ୍କ ଘର କଲିକତା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ ଓଡିଶାର ସୁନ୍ଦରଗଡ ଅଂଚଳରେ ବୋଲି ଜଣାପଡିଛି ।

Advertisment

publive-image

ପୁଲିସ ସୂଚନା ଅନୁସାରେ ଡିସେମ୍ବର ୨୯ ତାରିଖରେ ନୀଳଗିରି ଅଂଚଳର ଜୈନକ ମହିଳାଙ୍କ ବ୍ୟାଙ୍କ ଆକାଉଂଟରୁ ୧୨ ଲକ୍ଷ ୪୫ ହଜାର ଟଙ୍କା ଲୁଟ ହୋଇଥିଲା । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଖୋଳତାଡ ଆରମ୍ଭ କରିଥିଲା ପୁଲିସ । ସାଇବର ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ଏକ ୬ ଜଣିଆ ଟିମ୍ ଗଠନ କରି ତଦନ୍ତ ଚଲାଇଥିଲା । ପାଖାପାଖି ଏକମାସର ଖୋଳତାଡ ପରେ ବାଲେଶ୍ୱର ପୁଲିସ ୫ ଜଣ ଦୁର୍ବୃତଙ୍କୁ ଧରିବାରେ ସଫଳ ହୋଇଛି । ଏହି ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ସେନେଇ ଖୋଳତାଡ ଜାରି ରହିଛି ।