ପବନ ନେଉଛି ଜୀବନ । ହରିଦ୍ୱାର ଘରୋଇ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୫ କରୋନା ରୋଗୀଙ୍କ ମୃତ୍ୟୁ । ତଦନ୍ତ ପାଇଁ ନିର୍ଦ୍ଦେଶ

135

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାର ରୁଡକୀ ସହରରେ ଥିବା ଏକ ଘରୋଇ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି କି ମଙ୍ଗଳବାର ମଧ୍ୟରାତ୍ରୀରେ ମେଡିକାଲରେ ଅକ୍ସିଜେନ ଅଭାବ ପଡିବାରୁ ଭେଣ୍ଟିଲେଟରରେ ଥିବା ଜଣେ କରୋନା ରୋଗୀ ଓ ସାଧାରଣ ଚିକିତ୍ସା ହେଉଥିବା ୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ।

ହରିଦ୍ୱାର ଜିଲ୍ଲା ଅଧିକାରୀ ସି.ରବିଶଂକର କହିଛନ୍ତି କି, ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି କହିଛନ୍ତି କି ରାଜକୀୟ ସଂଯୁକ୍ତ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ୨ ଜଣ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ମେଡିକାଲର ଅକ୍ସିଜେନ ଆବଶ୍ୟକତା, କେତେ ଯୋଗାଣ ହୋଇଛି ଓ ମେଡିକାଲରେ କେତେଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ତାହା ଉପରେ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବେ । ଏହି ରିପୋର୍ଟ ଆସିବା ପରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କହିରଖୁ କି ମଙ୍ଗଳବାର ଦିନ ଉତ୍ତରାଖଣ୍ଡରେ ସର୍ବାଧିକ ୭୦୨୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୮୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଉତ୍ତରାଖଣ୍ଡରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୦୪,୦୫୧ ରେ ପହଂଚିଛି ।