ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ବିକଶିତ କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଶ୍ରୀକ୍ଷେତ୍ରର ବିକାଶ ଉପରେ ନଜର ରଖିବେ ୫ ଜଣ ଆଇଏଏସ ଅଫିସର

419

କନକ ବ୍ୟୁରୋ: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ପୁରୀର ଭିତ୍ତିଭୂମି ବିକାଶ, କୀର୍ତ୍ତିରାଜର ସଂରକ୍ଷଣ, ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦୦ କୋଟିର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହିସବୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ୫ ଆଇଏଏସ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି । ସେମାନେ ପୁରୀର ବିକାଶ ପାଇଁ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ୱରେ ରହିବେ ।

ଆଇଏଏସ ଅଫିସର ମାନେ ହେଲେ ସୂର୍ଯ୍ୟବଂଶୀ ମୟୁର ବିକାଶ, କାର୍ତ୍ତିଭାସନ ଭି, ଶୁଭଙ୍କର ମହାପାତ୍ର,ଜେ ସୋନାଲ ଓ ଭୁବନେଶ ଦେବଦାସ ପାଟିଲ । ଏମାନେ ସମସ୍ତେ ୨୦୧୮ ବ୍ୟାଚର ଆଇଏଏସ ଅଫିସର । ଏମାନେ ସମସ୍ତେ ଆଜି ପୁରୀର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ସେମାନଙ୍କୁ ସେମାନଙ୍କର ଦାୟିତ୍ୱ ସଂପର୍କରେ ବୁଝାଇବା ସହ ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି ।