୫ ଘଣ୍ଟାର ଅସ୍ତ୍ରୋପଚାର  । ଛାତିରୁ ବାହାରିଲା ୨ଟି ଲୁହା ଛଡ ।

152

କନକ ବ୍ୟୁରୋ: ହରିୟାଣା ରୋହତକ୍ ସ୍ଥିତ ପିଜିଆଇ ହସ୍ପିଟାଲରେ ଡାକ୍ତରମାନେ ଏକ ବିରଳ ଓ କଷ୍ଟସାଧ୍ୟ ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କୁ ଛାତିରେ ପଶି ରହିଥିବା ୪୦ ଫୁଟ ଲମ୍ବର ଦୁଇଟି ଲୁହା ରଡ୍ ବାହାର କରିପାରିଛନ୍ତି । ଅପରେସନ୍ ପ୍ରକ୍ରିୟା ଦୀର୍ଘ ୫ ଘଣ୍ଟା ଧରି ଚାଲିଥିଲା । ସୋନିପତ୍ ଜିଲ୍ଲାର କରନ୍ ନାମକ ଜଣେ ଯୁବକ ମାର୍କେଟକୁ ବାଇକ୍ ଯୋଗେ ଯାଉଥିବାବେଳେ ସମ୍ମୁଖରେ ଯାଉଥିବା ଏକ ଲୁହାରଡ୍ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଥିଲେ । ଫଳରେ ୪୦ ଫୁଟର ୨ଟି ରଡ୍ ତାଙ୍କ ଛାତିରେ ଫୁଟି ଭେଦ କରିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପିଜିଆଇକୁ ଅଣାଯାଇଥିଲା । ଡାକ୍ତରମାନେ ପ୍ରଥମେ କଟର ସାହାଯ୍ୟରେ ରଡର ବାହାର ଅଂଶକୁ କାଟିବା ପରେ ଛାତି ଭିତରେ ରହିଥିବା ବାକି ରଡର ଅଂଶକୁ ଅପରେସନ୍ କରି ବାହାର କରିଥିଲେ । ଛାତିରୁ ୧୦ ଇଂଚର ରଡ ବାହାରିଥିଲା । ଅପରେସନ୍ ପରେ ଯୁବକ ଜଣକ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି ।

ଏବେ କିଛି ଦିନ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିବା ପରେ ସମ୍ପୂର୍ଣ୍ଣ ଭଲ ହେବା ପରେ ଯାଇ ଘରକୁ ଫେରିବେ ଯୁବକ । ପୁଅକୁ ଏପରି ଗୁରୁତର ଅବସ୍ଥାରୁ ଉଦ୍ଧାରି ଥିବାରୁ ସମ୍ପୃକ୍ତ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ଯୁବକଙ୍କ ବାପା ।