କନକ ବ୍ୟୁରୋ:  ୨ଦୁଇ ବର୍ଷ ତଳେ ବାପା ଛେଉଣ୍ଡ ହୋଇଗଲେ । ମା’ ଆଉ ଜଣେ ଯୁବକକୁ ବାହା ହୋଇ ଚାଲିଗଲା ଯେ, ଆଉ ବୁଲି ଚାହିଁଲାନି । ଏବେ ୫ ପିଲାଙ୍କ ଜୀବନ ଦୁର୍ବିସହ । ଆହା କହିବାକୁ କେହି ନାହିଁ । ଏବେ ବଡ ଝିଅ ଉପରେ ୪ କୁନି ଭାଇ ଭଉଣୀଙ୍କ ବୋଝ ।

Advertisment

ବାଲେଶ୍ୱର ବସ୍ତା ସନ୍ତୋଷପୁର ପଞ୍ଚାୟତ ଥେଙ୍ଗଡିଆ ଗାଁର ବବଲୁ ହେମ୍ବ୍ରମଙ୍କର ଏ ୫ ପିଲା । ୪ ବର୍ଷ ତଳେ ଅଜଣା ରୋଗରେ ପଡି ବବଲୁ ଆରପାରିକୁ ଚାଲିଗଲେ । ଏତିକିରେ ଦୁଃଖ ସରିଲାନି ଯେ ଯିଏ ସାହା ହେବା କଥା ସେ ବି ପର କରିଦେଲା । ୬ ମାସ ତଳେ ବବଲୁଙ୍କ ସ୍ତ୍ରୀ ଗୀତା ହେମ୍ବ୍ରମ୍ ୩ ଝିଅ ଆଉ ୨ କୋଳ ପିଲାଙ୍କୁ ଛାଡି ଆଉ ଜଣଙ୍କୁ ବାହାହେଇ ଚାଲିଗଲା । ଏବେ ୫ ଭାଇ ଭଉଣୀ ପୁରା ଅସହାୟ । ସାହା ବୋଲି କେହି ନାହିଁ । ବଡ ଝିଅ ମୂଲ ଲାଗି ଦି ପଇସା ଆଣିଲେ ୪ ଭାଇ ଭଉଣୀଙ୍କ ପେଟରେ ଦାନା ଦିଟା ପଡେ । ମଜୁର ନମିଳିଲେ ବେଳେ ବେଳେ ୨/୩ଦିନ ଖାଡା ଉପାସ ରହିବାକୁ ପଡେ । ମୁଣ୍ଡ ଗଂଜିବାକୁ ବି ଘର ଖଣ୍ଡେ ନାହିଁ ଯେ, ପଲିଥିନ୍ ତଳେ କଟୁଛି ଏମାନଙ୍କ ଜୀବନ । ଯଦି ବର୍ଷା ପବନ ହୁଏ ତାହେଲେ ପାଖରେ ଥିବା ଏକ ପାଇଖାନା ଘରେ ଜାକିଜୁକି ହୋଇ ବସିରୁହନ୍ତି ୫ ପିଲା ।

ଏ ପରିବାରର ଭୋଟର କାର୍ଡ ଅଛି , ଆଧାର ପରିଚୟପତ୍ର ବି ଅଛି ହେଲେ ରାସନକାର୍ଡ ଖଣ୍ଡେ ନାହିଁ । କୁନି କୁନି ପିଲାଙ୍କ ଦୁଃଖ ଦେଖି କେତେବେଳେ କିଛି ଖାଇବାକୁ ଦେଇଦିଅନ୍ତି ଗାଁ ଲୋକେ । ଏତେ ସବୁ ପରେ ବି ଏ ଅସହାୟ ପିଲାମାନଙ୍କ ଉପରେ ପଡିନି ସରପଞ୍ଚ କି କାହା ନଜର । ପଚାରିବାରୁ କହୁଛନ୍ତି ଖୁବ୍ ଶୀଘ୍ର ଯୋଗାଇଦେବେ ଆବଶ୍ୟକ ସୁବିଧା ।

ବାପା, ମା’ଙ୍କୁ ହରାଇ କେମିତି ବଞ୍ଚିବ ଏ ୫ଜୀବନ? ବିଶ୍ୱାସ ଏ ଖବର ଦେଖିବା ପରେ ସ୍ଥାନୀୟ ପ୍ରଶାସନ ଏମାନଙ୍କ ଦୁଃଖ ବୁଝିବ, ଏମାନଙ୍କୁ ଥଇଥାନ୍ କରିବାକୁ ଯଥାଶୀଘ୍ର ପଦକ୍ଷେପ ନେବେ ।