ଆଶଙ୍କା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ । ଭୂତାଣୁର ନୂଆ ସ୍ୱରୁପ ଭିତରେ ବ୍ରିଟେନରୁ ସ୍ୱଦେଶ ଫେରିଲେ ଭାରତୀୟ, ଏକାଧିକ ଯାତ୍ରୀ କରୋନା ପଜିଟିଭ୍ ।

1,042

କନକ ବ୍ୟୁରୋ : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଦେଖା ଦେଇଥିବାବେଳେ ଭାରତକୁ ଲଣ୍ଡନରୁ ଫେରିଛନ୍ତି କିଛି ଯାତ୍ରୀ । ସେମାନଙ୍କ ମଧ୍ୟରୁ କେତେ ଜଣ କରୋନା ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଦେହରେ କରୋନାର କେଉଁ ଷ୍ଟ୍ରେନ ରହିଛି ତାହା ଜଣାପଡିନାହିଁ । ଏସବୁକୁ ଦୃଷ୍ଟିରେ ରଖି ସତର୍କ ହୋଇ ଯାଇଛନ୍ତି ଭାରତ ସରକାର ।

କରୋନାର ନୂଆ ଷ୍ଟ୍ରେନର ଭୟ ଭିତରେ ବ୍ରିଟେନରୁ ଭାରତ ଫେରିଛନ୍ତି ଯାତ୍ରୀ । ଆଉ ଏହି ଯାତ୍ରୀମାନଙ୍କ ମଧ୍ୟରୁ କିଛି ଯାତ୍ରୀ କରୋନା ପଜିଟିଭ୍ ବି ଅଛନ୍ତି । କିନ୍ତୁ ପଜିଟିଭ୍ ଆସିଥିବା ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଅଛି ନା ନାହିଁ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ବର୍ତମାନ ସୁଦ୍ଧା ଭାରତରେ କରୋନାର ବ୍ରିଟେନ୍ ଷ୍ଟ୍ରେନ୍ ଦେଖିବାକୁ ମିଳିନଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର ।

ଭକ୍ତଙ୍କ ପାଇଁ ମନ୍ଦିର ଖୋଲୁଥିବା ବେଳେ, କଟକଣା ଭିତରେ ଜୀବନଯାତ୍ରା ସ୍ୱାଭାବିକ ହେଉଥିବା ବେଳେ, ସଦୂର ବ୍ରିଟେନରୁ କରୋନାକୁ ନେଇ ଆସିଥିବା ଖବର, ପୁଣି ଥରେ ସମସ୍ତଙ୍କୁ ଏକ ବଡ଼ ଆଶଙ୍କା ଠେଲି ଦେଇଛି । ସାର୍ସ-କୋଭି-୨ (SARS-CoV-2) । ଇଏ ହେଉଛି କରୋନାର ସଦ୍ୟତମ ପରିବର୍ତିତ ସ୍ୱରୂପ । ଯାହା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି, ଆଉ ଏଥିରୁ ଭାରତ ବାଦ୍ ପଡ଼ିନି ।

ଠିକ୍ ଏତିକି ବେଳେ ବ୍ରିଟେନରୁ ଫେରୁଥିବା ଯାତ୍ରୀ ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛନ୍ତି । କାରଣ ବିଟ୍ରେନରୁ ଭାରତ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର ।

-ନଭେମ୍ବର ୨୫ରୁ ଡିସେମ୍ବର ୮ ତାରିଖ ଭିତରେ ବ୍ରିଟେନରୁ ଭାରତ ଫେରୁଥିବା ଯାତ୍ରାଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବ
-ଆର୍ନ୍ତଜାତୀୟ ବିମାନରେ ଭାରତ ଫେରିଥିବା ଯାତ୍ରୀମାନେ ତାଙ୍କ ୧୪ ଦିନର ଯାତ୍ରା ବିବରଣୀ ଦେବେ
-ଯାତ୍ରୀ କରୋନା ପଜିଟିଭ୍ ଆସିଲେ, ନୂଆ ଷ୍ଟ୍ରେନ୍ ନେଇ ପରୀକ୍ଷା କରାଯିବ
-ଭୂତାଣୁର ବ୍ରିଟେନ୍ ଷ୍ଟ୍ରେନ୍ ସହ କୋଭିଡ୍ ପଜିଟିଭ୍ ଆସିଲେ ରୋଗୀଙ୍କୁ ସ୍ୱତନ୍ତ୍ର ଆଇସୋଲେସନ୍ ୟୁନିଟରେ ରଖାଯିବ

କରୋନାର ଏହି ନୂଆ ଷ୍ଟ୍ରେନ୍ ୭୦% ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ କହିବା ପରେ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି । ତେବେ କରୋନା ପାଇଁ ଜାରି ହୋଇଥିବା ସତର୍କତା ତଥା କୋଭିଡ୍ ନିୟମ ପାଳନ କଲେ, ଭୁତାଣୁର କୌଣସି ସ୍ୱରୁପକୁ ନିୟନ୍ତ୍ରଣ କରିବ ହେବ ବୋଲି କହିଛନ୍ତି ଡାକ୍ତର । ବଡ଼ କଥା ହେଉଛି, ବର୍ତମାନ ସୁଦ୍ଧା ଭାରତରେ କରୋନାର ନୂଆ ଷ୍ଟେନ୍ ଦେଖିବାକୁ ମିଳିନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଭାରତକୁ କରୋନାର ନୂଆ ଷ୍ଟ୍ରେନ୍ ଆସିନାହିଁ ।