ଜମ୍ମୁକାଶ୍ମୀରରେ କଂଗ୍ରେସକୁ ବଡ ଝଟକା। ଗୁଲାମଙ୍କ ସମର୍ଥନରେ ୫ ପୂର୍ବତନ ବିଧାୟକଙ୍କ ଇସ୍ତଫା।

269

କନକ ବ୍ୟୁରୋ : ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ ଜମ୍ମକଶ୍ମୀରରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଦଳର ୫ ପୂର୍ବତନ ବିଧାୟକ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏମାନେ କଂଗ୍ରେସ ଟିକଟରେ ବିଜୟୀ ହୋଇଥିଲେ । ଜିଏମ ସରୁରୀ, ହାଜି ଅବଦ୍ଦୁଲ ରାଶିଦ, ମହମ୍ମଦ ଅମିନ ଭଟ୍ଟ, ଗୁଲଜାର ଅହମ୍ମଦ ବାନୀ ଏବଂ ଚୌଧୁରୀ ମହମ୍ମଦ ଅକରମ ଦଳ ଛାଡିଛନ୍ତି । ଗୁଲମନବୀଙ୍କ ସମର୍ଥନରେ ଏମାନେ ଦଳ ଛାଡିଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେମାନେ ସୂଚନା ଦେଇଛନ୍ତି । ଏହି ୫ ପୂର୍ବତନ ବିଧାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ଆରଏସ ଚିବ,ଯୁଗଳ କିଶୋର ଶର୍ମା ଏବଂ ମହାସଚିବ ଅଶ୍ୱିନୀ ହାଣ୍ଡା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।

ଶୁକ୍ରବାର କଂଗ୍ରେସରୁ ବଡ ଝଟକା ଦେଇ ଗୁଲାମ ନବୀ ଆଜାଦ ଦଳ ଛାଡିଥିଲେ । ସେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସୂଚନା ମିଳିଛି ଯେ ଗୁଲାମନବୀ ଜମ୍ମୁକାଶ୍ମୀରରେ ନୂଆ ଦଳ ଗଠନ କରିପାରନ୍ତି । ଅନେକ ଦିନ ଧରି ସେ ଦଳର ନିଷ୍ପତ୍ତି ନେଇ ନାରାଜ ରହିଥିଲେ । ଚଳିତ ମାସ ୧୬ ତାରିଖରେ ଦଳ ତାଙ୍କୁ ଜମ୍ମୁକାଶ୍ମୀର ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ମଧ୍ୟ ଦେଇଥିଲା । ତେବେ ମାତ୍ର ୨ ଘଣ୍ଟା ମଧ୍ୟରେ ଏଥିରୁ ଇସ୍ତଫା ଦେଇଥିଲେ । ସେ ଅଭିଯୋଗ କରିଥିଲେ ଏହା ମୋର ପ୍ରମୋସନ ନୁହେଁ ଡିମୋସନ ।