କନକ ବ୍ୟୁରୋ: ରାଜ୍ୟବାସୀଙ୍କୁ ସର୍ବାଧିକ ସନ୍ତୁଷ୍ଟ କରି କରୋନା ବିରୋଧୀ ଲଢେଇରେ ସାରା ଦେଶରେ ଓଡିଶା ସବୁଠୁ ସଫଳ ରାଜ୍ୟ । ଜନ କି ବାତ୍ ସର୍ଭେରେ ଏଭଳି ଦର୍ଶାଯାଇଛି । ୮୫ ପ୍ରତିଶତ ଜନତା, ରାଜ୍ୟ ସରକାରଙ୍କ କୋଭିଡ୍-୧୯ କାର୍ଯ୍ୟକ୍ରମ ଓ ପଦକ୍ଷେପରେ ଖୁସି ଥିବା ରିପୋର୍ଟରେ କୁହାଯାଇଛି । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, କରୋନାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ନେଇଥିବା ଦୃଢ ଲକଡାଉନ୍ ନିଷ୍ପତି ବେଶ୍ ସହାୟକ ହୋଇଛି । ରିପୋର୍ଟରେ କୁହାଯାଇଛି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପ ଉପରେ ରାଜ୍ୟବାସୀ ସନ୍ତୁଷ୍ଟ ଅଛନ୍ତି ।
ଗତ ୬ ରୁ ୧୦ ତାରିଖ , ୪ ଦିନ ଧରି ଜନ କି ବାତ୍ ଦ୍ୱାରା ସାରା ଦେଶରେ ଫୋନ ସାକ୍ଷାତକାର ମାଧ୍ୟମରେ ଏଭଳି ସର୍ଭେ କରାଯାଇଥିଲା । ଲୋକଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟା ଅନୁସାରେ, କରୋନା ବିରୋଧୀ ମୁକାବିଲାରେ ଓଡିଶା ସରକାର ସକ୍ରିୟ ପଦକ୍ଷେପ ନେଇଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡିଶା ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ଯାଏ ରାଜ୍ୟର ୪୦ ପ୍ରତିଶତ ଅଂଚଳରେ ତାଲାବନ୍ଦ ନିଷ୍ପତି ନେଇଥିଲେ । ଏଥିସହ କରୋନା ଟେଷ୍ଟିଂ ସଂଖ୍ୟା ମଧ୍ୟ ବୃଦ୍ଧି କରିଛନ୍ତି ।
ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ଯାଏ ବଢାଇବାକୁ ନିଷ୍ପତି ନେଇଛନ୍ତି ଏବଂ କେନ୍ଦ୍ର ଓ ଅନ୍ୟ ରାଜ୍ୟ ସରକାର ଏନେଇ ଚିନ୍ତା କରୁଛନ୍ତି । ପ୍ରଥମ ରାଜ୍ୟ ଭାବରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ସହ ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ନିର୍ମାଣ କରିଛନ୍ତି ଓଡିଶା ସରକାର । କୋଭିଡ ହସପିଟାଲ ଶଯ୍ୟା ସଂଖ୍ୟା ୬ହଜାରକୁ ବୃଦ୍ଧି କରିବା ସହ ଏପ୍ରିଲ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ହସପିଟାଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିସହ ଓଡିଶାରେ ଗୋଟିଏ ଦିନରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ସମେତ ଏକ ଚତୁର୍ଥାଂଶ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।