ସ୍ୱାମୀ ରଙ୍ଗ ମିସ୍ତ୍ରୀ, ସ୍ତ୍ରୀ ଗୃହିଣୀ । ହେଲେ ଆକାଉଂଟରେ ୫ କୋଟି ଟଙ୍କା । ଦୁହିଁଙ୍କ ଅଜାଣତର ଚାଲିଥିଲା ବେଆଇନ୍ ଅର୍ଥ କାରବାର, ପଢ଼ନ୍ତୁ ପୂରା ରିପୋର୍ଟ ।

2,622

କନକ ବ୍ୟୁରୋ: ରଂଗ ମିସ୍ତ୍ରୀଙ୍କ ଆକାଉଂଟରେ ୫ କୋଟି ଟଙ୍କା । ସାଲେପୁରର ଦେବେନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଅଜାଣତରେ ଆକାଉଁଟ ଖୋଲି ଚାଲିଥିଲା ବେଆଇନ କାରବାର । ଇନକମ ଟ୍ୟାକସର ବାରମ୍ବାର ନୋଟିସ ଆସିବା ପରେ ପଦାକୁ ଆସିଲା ଘଟଣା । କୁଆଡୁ ଆସିଲା ଏତେ ଟଙ୍କା ଆୟକର ବିଭାଗର ତନାଘନା ଜାରି ।

ସ୍ୱାମୀ ରଂଗ ମିସ୍ତ୍ରୀ । ସ୍ତ୍ରୀ ପର ଘରେ କାମ କରନ୍ତି । କିନ୍ତୁ ଏହି ଦମ୍ପତିଙ୍କ ବ୍ୟାଙ୍କ ଆକାଉଂଟରେ ୪କୋଟି ୪୩ ଲକ୍ଷ ଟଙ୍କାର ଅର୍ଥ କାରବାର ହୋଇଛି । ଏଭଳି ଘଟଣା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କଟକ ପୁରୀଘାଟ ଏବଂ ଭୁବନେଶ୍ୱର ୩ ଜଣ ଠକ, ସାଲେପୁର ଅଂଚଳେରେ ରହୁଥିବା ଦେବେନ୍ଦ୍ର ରାଉତ ଓ ପତ୍ନୀ ସସ୍ମିତା ସେଠୀଙ୍କ ନାଁରେ ଦୁଇଟି ବ୍ୟାଙ୍କ ଆକାଉଂଟ ଖୋଲି ଏ ପ୍ରକାର ଅର୍ଥ କାରବାର କରିଛନ୍ତି । ଆୟକର ଦାଖଲ ହୋଇନଥିବାରୁ ଦମ୍ପତିଙ୍କ ନିକଟକୁ ଆୟକର ବିଭାଗରୁ ବାରମ୍ବାର ନୋଟିସ ଆସିବା ପରେ ଏହି ଖବର ସାମନାକୁ ଆସିଛି ।

୩ ବର୍ଷ ତଳେ ପୁରୀଘାଟ ବଙ୍ଗାଳୀସାହିରେ ଜଣେ ବ୍ୟକ୍ତିଙ୍କ ଘରେ ରହି ରୋଗୀ ସେବା କରୁଥିଲେ ସସ୍ମିତା । ସେହି ସମୟରେ ଜଣେ ଅଜଣା ମହିଳାଙ୍କ ସହ ସସ୍ମିତାଙ୍କର ଭେଟ ହୋଇଥିଲା । ମହିଳା ଜଣଙ୍କ ସସ୍ମିତାଙ୍କୁ ଏକ ଅଫିସରେ ଚାକିରି କରାଇ ଦେବେ କହି ତାଙ୍କଠାରୁ ଭୋଟର ପରିଚୟ ପତ୍ର ନେଇଥିଲେ । ତାପରେ ଦେବେନ୍ଦ୍ର ଓ ସସ୍ମିତାଙ୍କ ନାଁରେ ପାନକାର୍ଡ ବାହାର କରି ୨୦୧୬-୧୭ ମସିହାରେ ଦୁଇଟି ବ୍ୟାଙ୍କ ଆକାଉଂଟ ଖୋଲାଇଥିଲେ । ଦେବେନ୍ଦ୍ରଙ୍କ ନାଁରେ ୨କୋଟି ୮୭ ଲକ୍ଷ ଏବଂ ସସ୍ମିତାଙ୍କ ନାଁରେ ୧କୋଟି ୫୬ ଲକ୍ଷ ଟଙ୍କା କାରବାର ହୋଇଛି । ଏହି କାରବାର ପଛରେ ଏକ ଠକ ଗ୍ରୁପର ହାତ ଥିବା ଉଭୟ ସ୍ୱାମୀ-ସ୍ତ୍ରୀ କହିଛନ୍ତି । ଆୟକର ବିଭାଗରୁ ବାରମ୍ବାର ନୋଟିସ ଆସିବା ପରେ ଭୟଭୀତ ହୋଇ ପଡିଛନ୍ତି ଦମ୍ପତି । ତେବେ ଏହି ଘଟଣାର ତଦନ୍ତ କରାଗଲେ ଏକ ବଡ ଠକ ନେଟୱାର୍କର ଗୁମର ଖୋଲିବ ବୋଲି କୁହାଯାଉଛି ।