କନକ ବ୍ୟୁରୋ : ଧାମନଗର ନିର୍ବାଚନ ପାଇଁ ମୈଦାନରେ ୫ ପ୍ରାର୍ଥୀ । ମୋଟ ୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଜଣେ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଖାରଜ ହୋଇଛି । ଫଳରେ ଏବେ ଧାମନଗର ବାଜି ଜିତିବାକୁ ୫ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ । ବିଜେଡିରୁ ଅବନ୍ତୀ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ମୈଦାନକୁ ଓହ୍ଲାଇଛନ୍ତି । ସେହିଭଳି ବିଜେଡି ଟିକେଟ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସ ମୈଦାନକୁ ଓହ୍ଳାଇଛନ୍ତି । ତେଣୁ ଧାମନଗର ଲଢେଇ ବେଶ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଭୋଟରଙ୍କ ଭରସା କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।

Advertisment

ଧାମନଗର ଉପ-ନିର୍ବାଚନକୁ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସିନିୟର ସିଟିଜେନ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଠାଲ ବାଲାଟ ବ୍ୟବସ୍ଥା କରାଯାଇଛି । ଇଲେକ୍ଟୋରାଲ ରୋଲରେ ୨୩୮୦୧୭ ଜଣ ଭୋଟର ରହିଛନ୍ତି । ମୋଟ ୨୫୨ଟି ପୋଲିଂ ବୁଥ୍ ରହିଛି । ୧୩୪ଟି ବୁଥର ନାଁ ବଦଳିଛି । ୧୦୭ଟି ସମ୍ବେଦନଶୀଳ ବୁଥ୍ ରହିଛି । ଇଭିଏମ ଓ ଭିଭିପାଟର ବ୍ୟବସ୍ଥା ସରିଛି । ପୋଲିଂ ଅଫିସର ମାନଙ୍କ ପ୍ରଥମ ରାଉଣ୍ଡ ଟ୍ରେନିଂ ସରିଲାଣି । ଖୁବଶୀଘ୍ର ଦ୍ୱିତୀୟ ରାଉଣ୍ଡ ଟ୍ରେନିଂ ସରିବ ।

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ବିଭିନ୍ନ ସରକାରୀ ପୋଷ୍ଟର ଓ ବ୍ୟାନର ଯେଉଁଠି ଲାଗିଥିଲା ତାହାକୁ ଅପସାରଣ କରାଯାଇଛି । ନିର୍ବାଚନର ୨ ଦିନ ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ନିର୍ବାଚନ ଦିନକୁ ସ୍ଥାନୀୟ ଭୋଟରଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ଭୋଟ ଯେମିତି ସୁୁରୁଖୁରରେ ହେବ ସେଥିପାଇଁ ୨୬ ଜଣ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ଏହାଛଡା ସୁରକ୍ଷା ଦୃଷ୍ଟି କୋଣରୁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ପ୍ରତି ପ୍ରାଥୀ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଯଦି କୌଣସି ପ୍ରାର୍ଥୀ ୪୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିବା ନେଇ ଭିଡ଼ିଓ ଆସିଲେ କିମ୍ବା ଅଭିଯୋଗ ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।