ଦୁର୍ଘଟଣା ନେଇ ଟ୍ୱିନସିଟି ଦେଉଛି ଟେନସନ୍ । ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ୫ଟି ବ୍ଲାକସ୍ପଟ୍ ଚିହ୍ନଟ କଲା କମିଶନରେଟ୍ ପୋଲିସ ।

261

କନକ ବ୍ୟୁରୋ: ମେ ୨୫ ୨୦୧୯ । ଫାୟାର ଷ୍ଟେସନ ଓଭରବ୍ରିଜ ଉପରେ ଘଟିଲା ଦୁର୍ଘଟଣା । ଚାହୁଁ ଚାହୁଁ ଘଟଣା ସ୍ଥଳରେ ଚାଲିଗଲା ୨ ସାଙ୍ଗ ଗିରିଜା ଓ ଚନ୍ଦ୍ରାଂଶ୍ରୁଙ୍କ ଜୀବନ । ଏବେ ବି ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ସୌମ୍ୟ କେତନ । ଖାଇବାକୁ ଯାଇ ଗୋଟିଏ ସ୍କୁଟିରେ ଫେରୁଥିବା ବେଳେ ୩ ସାଙ୍ଗକୁ ରାସ୍ତାରେ ଚାପି ଦେଲା କଦଳୀ ବୋଝେଇ ଟ୍ରକ । ଗୋଟିଏ ଦୁର୍ଘଟଣା ପୁତ୍ର ଶୂନ୍ୟ କରିଦେଲା ୨ ପରିବାରକୁ ।

୨୭ ମେ ୨୦୧୯ । ଆଚାର୍ଯ୍ୟବିହାର ଛକ ଓଭରବ୍ରିଜ । ଟ୍ରକ୍ ସାଇଡ ମାରିବାରୁ ବ୍ରିଜ ତଳକୁ ଖସି ପଡି ଆଖି ବୁଜିଲେ ବାପ ପୁଅ । ଏହିଭଳି ସଡକ ଦୁର୍ଘଟଣାରେ ରାଜଧାନୀରେ ଗତ ୭ ଦିନ ଭିତରେ ଗଡିଲାଣି ୭ରୁ ଅଧିକ ମୁଣ୍ଡ । ୩୧ ତାରିଖ ସୁଦ୍ଧା ରାଜଧାନୀର ସବୁ ଦୁର୍ଘଟଣା ପ୍ରବଣ ଅଂଚଳକୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।

ଦିନକୁ ଦିନ ରାଜଧାନୀରେ ଦୁର୍ଘଟଣା ହାର ବଢିବାରେ ଲାଗିଛି । ଏଥିରେ ରୋକ୍ ଲଗେଇବାକୁ ଏବେ ସ୍ମାର୍ଟସିଟିରେ ବ୍ଲାକସ୍ପଟ୍ ଖୋଜୁଛି କମିଶନରେଟ୍ ପୋଲିସ । ପାହାଳରୁ ନେଇ ଆଇଗିଣିଆ ଯାଏଁ ସବୁ ଦୁର୍ଘଟଣା ସ୍ଥାନର ଅନୁଧ୍ୟାନ କରିଛି ଟ୍ରାଫିକ୍ ପୋଲିସ । ସ୍ୱତନ୍ତ୍ର ଭାବେ ଟ୍ରାଫିକ ଡିସିପି ଓ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍ ଏହାର ଅନୁଧ୍ୟାନ କରିଛି ।

ରାଜଧାନୀରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହୋଇଛି ୫ ଟି ବ୍ଲାକ୍ ସ୍ପଟ ।

୧- ବାଟଭୁଆଷୁଣି ଛକ

୨- ପାତ୍ରପଡ୍ରାର ଆଇଗିଣିଆ

୩- କ୍ରାଉନ ହୋଟେଲ ସାମ୍ନା

୪- ଆଚାର୍ଯ୍ୟବିହାର

୫- ପାହାଳ ଛକ

ଏହିସବୁ ଅଂଚଳ ହେଉଛି ସ୍ମାର୍ଟିସିଟିର ୫ ମରଣଯନ୍ତା ବା ବ୍ଲାକ୍ ସ୍ପଟ୍ । ଏବେ ଲୋକଙ୍କୁ ସଚେତନ କରିବାକୁ ସଂପୃକ୍ତ ସ୍ଥାନ ଗୁଡିକରେ ଲାଗିବ ସାଇନବୋର୍ଡ ଓ ବାରିକେଡ୍ । ସ୍ପିଡ୍ ବ୍ରେକର ବି ବ୍ୟବହାର କରାଯିବ । ତେବେ ରାତି ୯ଟା ପରେ ରାସ୍ତରୁ ହଟିବ ବାରିକେଡ୍ ।

ରାଜଧାନୀରେ ଚିନ୍ତା ବଢାଉଛି ରୋଡ୍ ରୋମିଓଙ୍କ ରାସ୍ ଡ୍ରାଇଭିଂ । ଆଉ ଏମାନଙ୍କୁ ସାବାଡ କରିବାକୁ ବ୍ଲୁ ପ୍ରିଂଟ କରୁଛି କମିଶନରେଟ୍ ପୋଲିସ । ବ୍ଲାକ୍ ସ୍ପଟ୍ ଚିହ୍ନଟ ପରେ ଦୁର୍ଘଟଣା ହାର କମାଇବା ଉପରେ ରହିଛି କମିଶନରେଟ୍ ପୋଲିସର ଫୋକସ୍ ।