୯ଟି ଆସନରୁ ୫ଟି ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡି ! ଜାଣନ୍ତୁ କାହାର କଟିଲା ଟିକେଟ୍, କାହାକୁ ପୁଣି ଭରସିଲେ ନବୀନ ।

1,038

କନକ ବ୍ୟୁରୋ : ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ନବୀନ ନିବାସରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ସବୁଠାରୁ ବଡ କଥା ହେଉଛି, ମୋଟ ୯ଟି ବିଧାନସଭା ଆସନରୁ ୫ଟି ଆସନରେ ପ୍ରାର୍ଥୀ ବଦଳାଇଛି ବିଜେଡି । ଆସନ୍ତୁ ଜାଣିବା କାହାର ଟିକେଟ୍ କଟିଛି, ଆଉ କାହାକୁ ଆଉ ଥରେ ମିଳିଛି ସୁଯୋଗ ।

ଚର୍ଚ୍ଚା ଆଲୋଚନା ଭିତରେ ସାମ୍ନାକୁ ଆସିଛି ବାଲିକୁଦା-ଏରସମା ବିଜେଡି ପ୍ରାର୍ଥୀଙ୍କ ନାଁ । ୨୦୧୪ରେ ଏହି ବିଧାନସଭା ଆସନରୁ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ୨୦୧୯ରେ ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ପ୍ରଶାନ୍ତ ମୁଦୁଲିଙ୍କୁ ଦିଆଯାଇଛି ଜଗତସିଂହପୁର ଦାୟିତ୍ୱ । ୨୦୧୪ ନିର୍ବାଚନରେ ଜଗତସିଂହପୁର ଆସନରୁ ବିଷ୍ଣୁ ଚରଣ ଦାସ ବିଜେଡି ଟିକେଟରୁ ଲଢିଥିବା ବେଳେ ଏଥର ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ନୀଳଗିରି ବିଧାନସଭା ଆସନରେ ୨୦୧୪ରେ ସୁକାନ୍ତ ନାୟକ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ୨୦୧୯ରେ ଏହି ଆସନରୁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ସେପଟେ ଧାମନଗରରେ ଗତ ନିର୍ବାଚନରେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ, ୨୦୧୯ ନିର୍ବାଚନରେ ରାଜେନ୍ଦ୍ର କୁମାର ଦାସଙ୍କୁ ମିଲିଛି ଶଙ୍ଖ ଟିକେଟ୍ । ଆଉ ଏସବୁ ଭିତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଆନନ୍ଦପୁର ବିଧାନସଭା ଆସନ । କିଛିଦିନ ତଳେ ଆନନ୍ଦପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ଭାଗୀରଥୀ ସେଠୀ ବିଜେପି ଛାଡି ଗୋଟିଏ ଦିନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ । ତେବେ ତାଙ୍କୁ ଭରସା କରି ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାଗୀରଥୀ ସେଠୀଙ୍କୁ ପ୍ରାର୍ଥୀ କରିଛି ଦଳ । ୨୦୧୪ରେ ନିର୍ବାଚନରେ ଏହି ଆସନରୁ ମାୟାଧର ଜେନା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ, ଏଥର ତାଙ୍କ ଟିକେଟ୍ କଟିଛି ।

ତେବେ ଆଜି ଘୋଷଣା ହୋଇଥିବା ମୋଟ୍ ୯ଟି ବିଧାନସଭା ଆସନ ମଧ୍ୟରୁ ୫ଟି ଆସନରେ ପ୍ରାର୍ଥୀ ବଦଳାଯାଇଥିବା ବେଳେ, ୪ଟି ଆସନରେ ପୁଣି ଥରେ ପୁରୁଣା ନେତାଙ୍କୁ ସୁଯୋଗ ମିଳିଛି । ପିପିଲିରୁ ପୁଣି ଥରେ ପ୍ରଦୀପ ମହାରଥୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ, ନିମାପଡାରୁ ପୁଣି ଥରେ ସମୀର ରଞ୍ଜନ ଦାସଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେଡି । ସେହିପରି କାକଟପୁର ବିଧାନସଭା ଆସନରେ ପୁଣି ଥରେ ସୁରେନ୍ଦ୍ର ସେଠୀଙ୍କୁ ଟିକେଟ୍ ମିଳିଥିବା ବେଳେ, ନିଆଳି ବିଧାନସଭା ଆସନ ପାଇଁ ପୁଣି ଥରେ ପ୍ରମୋଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି ।