‘ମହା’ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହାଚାଲେଞ୍ଜ: ନୂଆ ସରକାର ଗଢିବା ପରେ କଣ ରହିବ ଠାକରେଙ୍କ ପାଇଁ ବଡ ଚାଲେଞ୍ଜ ?

524

କନକ ବ୍ୟୁରୋ: ମହାରାଷ୍ଟ୍ରରେ ମହାନାଟକ ହେଲା । ନାଟକରେ ଯବନିକା ଟାଣିବାକୁ ମହାମେଳି ବି ବନ୍ଧା ହେଲା । ଆଉ ଶେଷରେ ବହୁଦିନ ହେବ ପଦ୍ମକୁ ପାଲିଙ୍କିରେ ବସାଇ ବୋହୁଥିବା ଶିବସେନା ନିଜେ ପାଲିଙ୍କିରେ ବସିଲା । ଗତକାଲି ‘ମହା’ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ତେବେ ଅନେକ ନାଟକ ପରେ ସିନା ଉଦ୍ଧବ ରାଜା ହୋଇଗଲେ ହେଲେ ରାଜା ହେବା ପରେ କଣ ରହିବ ତାଙ୍କ ପାଇଁ ଚାଲେଞ୍ଜ । ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଣ ରହିବ ଉଦ୍ଧବ ପାଇଁ ସବୁଠାରୁ ବଡ଼ ୫ଟି ଚ୍ୟାଲେଂଜ ଦେଖନ୍ତୁ ।

 

ଚ୍ୟାଲେଂଜ ନମ୍ବର-୧

୩ ଦଳକୁ ନେଇ ମେଂଟ ସରକାରକୁ ଚଲାଇବା ଉଦ୍ଧବଙ୍କ ପାଇଁ ପ୍ରଥମ ଏବଂ ସବୁଠାରୁ ବଡ ଚ୍ୟାଲେଂଜ । ପ୍ରଶାସନିକ ସ୍ତରରେ କୌଣସି ଅଭିଜ୍ଞତା ନଥିବା ଉଦ୍ଧବ ମେଂଟ ସରକାରକୁ କିପରି ଚଲାଇବେ ତା ଉପରେ ଜନତାଙ୍କ ନଜର । ଉଦ୍ଧବଙ୍କ ପ୍ରଥମ ଦାୟିତ୍ୱ ହେଲା, କଂଗ୍ରେସ ଏବଂ ଏନସିପିକୁ ସାଙ୍ଗରେ ନେଇ ଚାଲିବା । କେଉଁ ଘଟଣାକୁ କେତେ ପ୍ରଶାସନିକ ଗୁରୁତ୍ୱ ଦିଆଯିବ, ପରିବର୍ତ୍ତିତ ସ୍ଥିତିରେ ଉଦ୍ଧବଙ୍କ କିପରି ରହିବ ରାଜନୈତିକ ଶୈଳୀ ଏବଂ କ୍ୟାବିନେଟ ସହଯୋଗୀଙ୍କ ଅହଂକାରକୁ ଦୃଷ୍ଟିରେ ରଖି କିପରି କାମ କରିବେ ସେସବୁକୁ ଗୁରୁତ୍ୱର ସହ ନେବାକୁ ପଡିବ । ସଫଳତାର ସହ କାମ କରିବା ପାଇଁ ଉଦ୍ଧବଙ୍କୁ ବନେଇବାକୁ ପଡିବ ନିଜସ୍ୱ ପ୍ରଶାସନିକ ଟିମ । କାରଣ ଅଧିକାଂଶ ଅଧିକାରୀ ବିଜେପି କିମ୍ବା ଏନସିପି ସହିତ ସମ୍ପର୍କିତ ଅଛନ୍ତି ।

ଚ୍ୟାଲେଂଜ ନମ୍ବର-୨

ଉଦ୍ଧବଙ୍କ ପାଇଁ ଦ୍ୱିତୀୟ ବଡ ଚ୍ୟାଲେଂଜ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ସର୍ତ୍ତମୂଳକ ଋଣ ଛାଡ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ଆଗକୁ ବଢେଇବା । ପ୍ରାଥମିକ ଅକଳନ ଅନୁଯାୟୀ, ପ୍ରତିଶ୍ରୁତି ମୁତାବକ ଋଣ ଛାଡ କରିବାକୁ ହେଲେ ସରକାରଙ୍କୁ ଦରକାର ଅଧିକ ୩୦ହଜାର କୋଟି ଟଙ୍କା । ଫଡନବିସ ସରକାର ପ୍ରତିଶ୍ରୁତି ମୁତାବକ ୨୪ହଜାର କୋଟି ଟଙ୍କା ଋଣ ଛାଡ ବାବଦକୁ ବ୍ୟାଙ୍କକୁ ଦେଇସାରିଛନ୍ତି । ବର୍ତ୍ତମାନ ରାଜ୍ୟର ଆର୍ଥିକ ସ୍ଥିତିରେ ଏହାର ମୁକାବିଲା କରିବା ଉଦ୍ଧବଙ୍କ ପାଇଁ ବଡ ଚ୍ୟାଲେଂଜ ।

ଚ୍ୟାଲେଂଜ ନମ୍ବର-୩

ତୃତୀୟ ଚ୍ୟାଲେଂଜ ହେଉଛି ଭିତ୍ତିଭୂମିର ବିକାଶ । ଏଥିପାଇଁ ଫଡନବିସ ସରକାରଙ୍କର ଥିଲା ବଡ ଯୋଜନା । ଦେଢଲକ୍ଷ କୋଟି ଟଙ୍କାର ଏହି ଯୋଜନା ଭିତରେ ରହିଛି ୬ଟି ମେଟ୍ରୋ କରିଡର । ସହରାଚଂଳରୁ ଅଧିକ ଭୋଟ ପାଇଥିବା ଉଦ୍ଧବଙ୍କୁ ଏହି ଯୋଜନାକୁ ଆଗକୁ ନେବାକୁ ପଡିବ । କାରଣ, ୨୦୨୨ରେ ଆସୁଛି ବିଏମସି ନିର୍ବାଚନ । ଏହା ପୂର୍ବରୁ ମୁମ୍ବାଇରେ ଭଲ ରାସ୍ତା ନିର୍ମାଣ କରିବାକୁ ପଡିବ । ନଚେତ ନିର୍ବାଚନରେ ବିଜେପି ସହିତ କଡା ମୁକାବିଲାର ସମ୍ମୁଖୀନ ହେବ ଶିବସେନା ।

ଚ୍ୟାଲେଂଜ ନମ୍ବର-୪

ଶିବସେନା , ଏନସିପି ଏବଂ କଂଗ୍ରେସ ସାଧାରଣ ସର୍ବନିମ୍ନ ଯୋଜନାରେ ବେରୋଜଗାରୀକୁ ଗୁରୁତ୍ୱ ଦେବାପାଇଁ ନିଷ୍ପତି ନେଇସାରିଛନ୍ତି । ତେବେ ୮୦ ପ୍ରତିଶତ ଚାକିରି ସ୍ଥାନୀୟ ବେରୋଜଗାର ଯୁବକଙ୍କୁ ଦେବା ପାଇଁ ଏକ ବିଜେୟକ ଆଣିପାରେ ମେଂଟ ସରକାର । ତେବେ ଏହା ବ୍ୟତୀତ ମଧ୍ୟ ବେରୋଜଗାର ସମସ୍ୟାର ସମାଧାନ ପାଇଁ ଅନେକ ପଦ କ୍ଷେପନେବାକୁ ପଡିବ

ଚ୍ୟାଲେଂଜ ନମ୍ବର-୫

ରାଜ୍ୟର ଅର୍ଥନୀତିକୁ ଆଗେଇ ନେବା ଆଉ ଏକ ଚ୍ୟାଲେଂଜ ମେଂଟ ସରକାର ପାଇଁ । ଗତ ୫ବର୍ଷ ମଧ୍ୟରେ ଟିକସ ବାବଦରେ ଆୟ ହ୍ରାସ ପାଇଛି । ଭିତିଭୂମି ପାଇଁ ରାଜ୍ୟରେ ଚାଲିଥିବା ବଡ ବଡ ଯୋଜନା ଅନ୍ତର୍ଜାତୀୟ ଋଣରେ ଚାଲିଛି । ରାଜ୍ୟର ଋଣ ୪.୭୧ ଲକ୍ଷ କୋଟିକୁ ବଢିଛି । ଯଦି ଋଣ କରି କୃଷି ଋଣ ଛାଡ କରାଯାଏ, ତେବେ ରାଜ୍ୟର ଋଣ ପରିମାଣ ଆହୁରି ବୃଦ୍ଧି ପାଇବ । ନୂଆ ସରକାର କିପରି ଏସବୁ ଚ୍ୟାଲେଂଜର ସମ୍ମୁଖୀନ ହେବ ଏବଂ ସଫଳତାର ସହ ରାଜ୍ୟର ବିକାଶକୁ ଆଗେଇ ନେବ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ।