ବସୁନ୍ଧରା ଯୋଜନାରେ ବଡ ଧରଣର ଘୋଟାଲା କରିଥିଲେ ସରକାରୀ ବାବୁ । ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଜମି ଅଯୋଗ୍ୟ ହିତାଧିକାରୀଙ୍କୁ ଦେଇଥିଲେ ଟେକି,  ପୂର୍ବତନ ତହସିଲଦାରଙ୍କ ସହ ୪ ଆରଆଇ ଗିରଫ ।

144

କନକ ବ୍ୟୁରୋ : ବସୁନ୍ଧରା ଯୋଜନାରେ ଅନିୟମିତତା ଅଭିଯୋଗରେ ୫ଜଣ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଯୋଗ୍ୟ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ମୂଲ୍ୟବାନ ଘର ଡିହ ଯୋଗାଇଥିବା ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଛି ଭିଜିଲାନ୍ସ ବିଭାଗ । ଅପରାଧିକ ଷଡଯନ୍ତ୍ର, କ୍ଷମତାର ଅପବ୍ୟବହାର, ଜାଲିଆତି ଓ ବେଆଇନ ଭାବେ ସରକାରୀ ଜମିକୁ ଅଯୋଗ୍ୟ ହିତାଧିକାରୀଙ୍କୁ ଟେକି ଦେବା ଅଭିଯୋଗରେ ଅସାଧୁ ଅଧିକାରୀଙ୍କୁ ଗିରଫ କରାଯାଇଛି ।

କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା । ଝିମଣୀ ସର୍କଲର ପୂର୍ବତନ ରାଜସ୍ୱ ନୀରିକ୍ଷକ ସନ୍ତୋଷ କୁମାର ମଲ୍ଲିକ, ଅବସରପ୍ରାପ୍ତ ପାରାଦୀପ ଗଡର ପୂର୍ବତନ ରାଜସ୍ୱ ନୀରିକ୍ଷକ ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗର ପୂର୍ବତନ ଆରଆଇ ସୁବାସ ଚନ୍ଦ୍ର ଦାସ ଓ ପାଣ୍ଡୁଆ ସର୍କଲର ପୂର୍ବତନ ଆରଆଇ ଜ୍ୟୋତି ଭୂଷଣ ବାରିକ ଗିରଫ ହୋଇଛନ୍ତି । ବସୁନ୍ଧରା ଯୋଜନାରେ ଭୂମିହୀନ ଗରିବ ଲୋକଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ୪ଡିସିମିଲ ଘରଡିହ ଜମି ପ୍ରାୟ ମାଗଣା ଯୋଗାଇବା ବ୍ୟବସ୍ଥା ରହିଛି । କିନ୍ତୁ ସରକାରୀ ଅଧିକାରୀମାନେ ଚଂଚକତା କରି ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ମୂଲ୍ୟବାନ ଜମିକୁ ଟେକି ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ମୋଟ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଆଉ ବସୁନ୍ଧରା ଯୋଜନାରେ ଦୁର୍ନୀତିର ପ୍ରମାଣ ମିଳିବା ପରେ ଭିଜିଲାନ୍ସ ୫ ଜଣଙ୍କୁ ଗିରଫ କରିଛି ।