ନିର୍ବାଚନୀ ପ୍ରଚାରରେ କମ୍ପୁଛି ନିମାପଡା । ମତଦାତାଙ୍କ ମନ ଜିଣିବାକୁ ନେତାଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ । ରୋଡ୍ ସୋ ସହ ଘର ଘର ବୁଲି ମାଗୁଛନ୍ତି ଭୋଟ୍

ଗତ ନିର୍ବାଚନ ଗୁଡିକରେ ପ୍ରତି ଦଳକୁ ସୁଯୋଗ ଦେଇଛନ୍ତି ନିମାପଡାବାସୀ; ଏଥର କିଏ ଜିତିବ ଭୋଟରଙ୍କ ଭରସା?

171

କନକ ବ୍ୟୁରୋ: ଆଜି ସରିବ ନିର୍ବାଚନ ପ୍ରଚାର । ଜଗତସିଂହପୁର ସଂସଦିୟ କ୍ଷେତ୍ର ଅଧିନରେ ଥିବା ନିମାପଡ଼ା ନିର୍ବାଚନ ମଣ୍ଡଳି ଚଳିତ ଥର ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦୁଇ ହେଭିୱେଟ ନେତା ବିଜେଡ଼ି ମୁଖପାତ୍ର ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସମୀର ଦାଶ ଏବଂ ରାଜ୍ୟବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିବାରୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ପ୍ରାର୍ଥୀମାନେ ଏବେ ଗ୍ରାମାଞ୍ଚଳ ମୁହାଁ ହୋଇ ରୋଡ଼ ସୋ’ କରିବା ସହିତ ଘରକୁ ଘର ବୁଲି ପ୍ରଚାର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଠାରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ପ୍ରଚାରରେ ବିଜେପି ଆଗରେ ରହିଛି । ଦଳର କେନ୍ଦ୍ରୀୟ ନେତାମାନେ ଘନ ଘନ ନିମାପଡ଼ା ଗସ୍ତ କରିଛନ୍ତି । ରାଷ୍ଟିୟ ଉପାଧ୍ୟକ୍ଷ ଶିବରାଜ ସିଂ ଚୈାହାନ, ଧର୍ମେନ୍ଦ୍ର ପ୍ରଧାନ ଓ ରାଜନାଥ ସିଂ ପ୍ରମୁଖ ନିର୍ବାଚନ ସଭା ଏବଂ ରୋଡ ସୋରେ ଯୋଗଦେଇ ବିଜେପିର ସାଂସଦ ଏବଂ ବିଧାୟକ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି ।

ସେହିଭଳି ବିଜେଡ଼ି ପକ୍ଷରୁ ସୁପ୍ରିମୋ ନବୀନ ପଟ୍ଟନାୟକ ରୋଡ ସୋ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି । ପ୍ରତ୍ୟେକ ଦିନ ସମୀର ଗ୍ରାମାଞ୍ଚଳରେ ରୋଡ଼ସୋ କରି ଶକ୍ତି ପ୍ରଦର୍ଶନ କରୁଛନ୍ତି । ତେବେ ଚଳିତ ଥର ବି ପଛରେ ପଡ଼ିନାହିଁ କଂଗ୍ରେସ । ଦଳର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ଏବଂ ସାଂସଦ ପ୍ରତିମା ମଲ୍ଲିକ ରୋଡ ଼ସୋ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଦଳର ପ୍ରଭାରୀ କେନ୍ଦ୍ରୀ ୟନେତା ଟିଏସ ସିଂହଦେଓ ନିମାପଡ଼ା ଗସ୍ତ କରିଛନ୍ତି । ଦୁଇ ପ୍ରମୁଖ ରାଜନୈତିକ ଦଳଠାରୁ ପ୍ରଚାରରେ କଂଗ୍ରେସ ପଛରେ ରହିଛି । ଚଳିତଥର କେହି କାହା ଠାରୁ କମରେ ନାହାଁନ୍ତି । ପ୍ରାର୍ଥୀଙ୍କ ସହିତ ଦଳଦଳ ହୋଇ ଯୁବକମାନେ ଭୋଟ ପ୍ରଚାରରେ ସାମିଲି ହୋଇଥିବା ଯୋଗୁଁ ରାଜନୈତିକ ଉଷ୍ମତା ଓ ପ୍ରତିଦ୍ୱନ୍ଦିତା ବୃଦ୍ଧିପାଇଛି । ଦୀର୍ଘଦିନ ପରେ ଉଭୟ ବିଜେଡ଼ି ଓ ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । ଗତ ୨୦୧୪ ନିର୍ବାଚନରେ ତୃତୀୟସ୍ଥାନରେ ଥିବା କଂଗ୍ରେସ ଦଳ ଚଳିତ ନିର୍ବାଚନରେ ଭଲ କରିବା ଆଶା ରଖିଛି ।

ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅଧିନରେ ରହିଥିବା ପୁରୀ ଜିଲ୍ଲା ଅନ୍ତର୍ଗତ ୧୦୬ ନଂ ବିଧାନସଭା କ୍ଷେତ୍ର ହେଉଛି ନିମାପଡ଼ା । ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ । ଗତ ୨୦୦୦ ମସିହା ପରଠାରୁ ଏହି ଆସନଟି ଅଣକଂଗ୍ରେସ ଦୁର୍ଗ ଭାବେ ପରିଗଣିତ ହୋଇଆସୁଅଛି । ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ଣ୍ଟଯୋଗୁଁ ଏହା ବିଜେପି ଦଖଲରେ ରହିଥିଲା । ତେବେ ମେଣ୍ଟ ଭାଙ୍ଗିଯିବା ପରେ ଏହି ଆସନଟି ୨୦୦୯ ଠାରୁ ବିଜେଡ଼ି ଅଧିନରେ ରହିଛି । ଚଳିତ ନିର୍ବାଚନରେ ଏହି ଆସନରୁ ମୋଟ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେଡ଼ିର ବର୍ତ୍ତମାନ ବିଧାୟକ ସମୀର ଦାଶ, ବିଜେପିରୁ ପୂର୍ବତନ ସମାଜ ମଙ୍ଗଳ ବୋର୍ଡ଼ ଅଧ୍ୟକ୍ଷ ପ୍ରଭାତୀ ପରିଡ଼ା ଏଥର କଂଗ୍ରେସ ଦଳ ପ୍ରାଥୀ ପରିବର୍ତ୍ତନ କରି ଯୁବ ନେତୃତ୍ୱ ଉପରେ ଭରଷାକରିଛି ।

ପ୍ରଥମେ ଦଳ ଏଠାରୁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ପାତ୍ରଙ୍କୁ ଚୟନ କରିଥିଲା । ସତ୍ୟବ୍ରତ ଟିକେଟ ଫେରାଇ ଦେବାରୁ ଦଳ ଦଳ ନିମାପଡ଼ା ଗୋପ ନବନିର୍ମାଣ ପରିଷଦର ଅଧ୍ୟକ୍ଷ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି । ବିଜେଡ଼ି ସରକାର ଅମଳରେ ହୋଇଥିବା ଦୁର୍ନୀତିକୁ ନେଇ ବିରୋଧି ଟାର୍ଗେଟ କରିଛନ୍ତି । ସେମାନଙ୍କ ପ୍ରତି ନିମାପଡ଼ା ଅଞ୍ଚଳବାସୀମାନଙ୍କ ବିପୁଳ ସମର୍ଥନ ରହିଥିବା ପ୍ରକାଶ କରିଛନ୍ତି କଂଗ୍ରେସପ୍ରାର୍ଥୀ । ବିକାଶ ନାମରେ ହେଉଥିବା ଦୁର୍ନୀତି ପାଥେୟ କରି କଂଗ୍ରେସ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ବିଜେପି ବିଜେଡ଼ି ସରକାର ଅମଳରେ ହୋଇଥିବା ଦୁର୍ନୀତି ଓ ମୋଦି ଫ୍ୟାକ୍ଟରକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଜଣେ ମହିଳା ପ୍ରାର୍ଥୀଙ୍କୁ ନିମାପଡ଼ା ଅଞ୍ଚଳବାସୀ ଜିତାଇବା ସହିତ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ବିଜେପି । କଂଗ୍ରେସ ଓ ବିଜେପି କଳେବଳେ କୈାଶଳେ ଏହି ଆସନଟିକୁ ହାତେଇବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ।

ତୃତୀୟ ଥର ନିମନ୍ତେ ଦଳ ତାଙ୍କର ଉପରେ ଭରଷା କରିଥିବାରୁ ସିଏ ବିଜେଡ଼ି ସୁପ୍ରିମୋଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଜେଡ଼ି ସରକାର ସମୟରେ ଅଞ୍ଚଳର ବିକାଶ ସାଧିତି ହୋଇପାରିଛି । ବିକାଶ ଧାରା ଚାଲୁ ରହିଛି । ଆହୁରି ଅନେକ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ନବୀନ ବାବୁଙ୍କ ଲୋକ ପ୍ରିୟତା ନିଜର ସାଂଗଠନିକ ଦକ୍ଷତା ଓ ବିଜେଡ଼ି ସରକାରର ସ‘ଳତାକୁ ପାଥେୟ କରି ବିଜେଡ଼ି ପ୍ରାଥୀ ଏଠାରୁ ତୃତୀୟ ଥର ବିଜୟୀ ହେବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ।

ଆରମ୍ଭ ହୋଇଛି ପ୍ରଚାରର ପରିବର୍ତନଧାରା । ପୋଷ୍ଟର ବ୍ୟାନର ଅପେକ୍ଷା ଘରଘର ବୁଲି ଭୋଟ ଭିକ୍ଷା କରିବାକୁ ମୁଖ୍ୟମାଧ୍ୟମ କରିଛନ୍ତି ନେତା । କରିଚାଲିଛନ୍ତି ଶକ୍ତିପ୍ରଦର୍ଶନ । ଚଳିତ ନିର୍ବାଚନରେ ଜିତିବାର ଦୃଢ଼ଆଶା ରଖିଛନ୍ତି ପ୍ରାର୍ଥୀମାନେ । ଦେଇଚାଲିଛନ୍ତି ପ୍ରତିଶ୍ରୁତି । ହେଲେ ଏହି ଲୋଭନୀୟ ପ୍ରତିଶ୍ରୁତିରେ ଭୋଟରମାନେ କେତେଦୂର ପ୍ରଭାବିତ ହୋଇ କାହାକୁ ଭୋଟଦେଉଛନ୍ତି ତାହା ନିର୍ବାଚନ ପରେ ହିଁ ଜଣା ପଡ଼ିବ?