ଓଡିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ: ଭଦ୍ରକର ଦୁବାଇ ଫେରନ୍ତା ଯୁବକଙ୍କ ନମୂନାରେ ଠାବ ହେଲା ମାରାତ୍ମକ ଭୂତାଣୁ; ସ୍ୱାସ୍ଥ୍ୟ ବିଭାଗର ସୂଚନା, ଯୁବକଙ୍କ ଠାରେ ଦେଖା ଦେଇନଥିଲା କରୋନା ଲକ୍ଷଣ

ରୋଗୀଙ୍କୁ କଟକ ଆଣିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

1,651

କନକ ବ୍ୟୁରୋ: ଓଡିଶାରେ ଆଉ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଛି । ଜଣେ ୨୯ ବର୍ଷିୟ ଯୁବକଙ୍କ ଠାରେ ଚିହ୍ନଟ ହୋଇଛି କରୋନା ଭୂତାଣୁ । ଆକ୍ରାନ୍ତ ଯୁବକ ଜଣକ ଭଦ୍ରକର ଓ ସେ କିଛି ଦିନ ତଳେ ସେ ଦୁବାଇରୁ ଫେରିଥିଲେ । ଟ୍ୱିଟ୍ କରି ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହାକୁ ମିଶାଇ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରିରେ ପହଂଚିଛି । ତେବେ ଓଡିଶାରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ କରୋନା ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଭଦ୍ରକରେ ରହୁଥିବା ଏହି ଚତୁର୍ଥ ରୋଗୀଙ୍କୁ କଟକ ବଡମେଡିକାଲ ଆଣିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ତେବେ ଦୁବାଇରୁ ଫେରିବା ପରେ ଆକ୍ରାନ୍ତ ଯୁବକ କେଉଁଠିକୁ ଯାଇଥିଲେ, କେତେ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଠାବ କରିବା ପ୍ରଶାସନ ପାଇଁ ବଡ ଚାଲେଞ୍ଜ ରହିବ । ସେପଟେ ଭଦ୍ରକରେ କରୋନା ଆକ୍ରାନ୍ତ ଚିହ୍ନଟ ଖବର ପରେ ଆଲର୍ଟ ହୋଇଛି ପୁଲିସ ପ୍ରଶାସନ । ତାଲାବନ୍ଦକୁ କଡାକଡି କରାଯାଉଛି । ସବୁଠୁ ବଡ କଥା ହେଉଛି ଦୁବାଇ ଫେରିବା ପରେ ୧୪ ଦିନ ଯାଏଁ ସଂପୃକ୍ତ ଯୁବକଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା । ତେଣୁ ସେ ଅଧିକ ଲୋକଙ୍କ ସଂପର୍କରେ ଆସିଥିବେ ବୋଲି ସନ୍ଦେହ କରାଯାଉଛି । ଭଦ୍ରକର ଆକ୍ରାନ୍ତଙ୍କ ଠାରୁ ଅନ୍ୟମାନେ ସଂକ୍ରମିତ ହୋଇଥିଲେ କରୋନା ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି ବୋଲି କୁହାଯାଇ ପାରିବ । ଓଡିଶାରେ ଗତକାଲି ସୁଦ୍ଧା ୬୧୦ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୪ଟି ପଜିଟିଭ ଚିହ୍ନଟ ହୋଇଛି ।

ମଙ୍ଗଳବାର ୧୩୭ଟି ନମୁନା ପରୀକ୍ଷା ମଧ୍ୟରୁ ଗୋଟିଏ ପଜିଟିଭି ଥିବା ବେଳେ ଅନ୍ୟ ସବୁ ନେଗେଟିଭ୍ ରହିଛି । ଆଜି ଆରଏମଆରସିରେ ୧୧୯ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ଭୁବନେଶ୍ୱର ଏମ୍ସରେ ୧୫ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଗୋଟିଏ ପଜିଟିଭି ହୋଇଛି । ଆଉ ସେହି ଗୋଟିଏ ପଜିଟିଭ ହେଉଛନ୍ତି ଭଦ୍ରକ ଯୁବକ । ଅନ୍ୟପଟେ କଟକ ବଡ ମେଡିକାଲରେ ସମସ୍ତ ୩ଟି ନମୁନା ନେଗେଟିଭ୍ ବାହାରିଛି । ସେପଟେ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ଦେଇଥିବା କିଛି ଲୋକ ଓଡିଶା ଫେରିଥିବା ଚର୍ଚ୍ଚା ନେଇ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି ଏହି ସମାବେଶରୁ ଫେରିଥିବା ୩ ଜଣଙ୍କୁ କ୍ୱାରେନଟାଇନ୍ ବା ସଙ୍ଗରୋଧରେ ରଖାଯାଇଛି । ଆଉ କିଏ କିଏ ସେଠାକୁ ଯାଇଥିଲେ ଏବଂ ସେମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହା ଅନୁଧ୍ୟାନ କରାଯାଉଛି ।