ପୁଣି ଚାଲିଲା ମୋଦୀ ମ୍ୟାଜିକ । ଏବେ ବି ଅକ୍ଷୂର୍ଣ୍ଣ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା, ପଛରେ ପଡିଲା କଂଗ୍ରେସ

145

କନକ ବ୍ୟୁରୋ : ୫ ବର୍ଷ ତଳେ ଯେଉଁ ତିନି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଠନ କରିଥିଲା, ଆଜି ସେହି ରାଜ୍ୟରେ କଂଗ୍ରେସକୁ ଲାଗିଛି ଗ୍ରହଣ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କର ନଜର ଥିଲା । ବିଶେଷକରି ଚଳିତ ବର୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିବା ପରେ କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ମଧ୍ୟ ବିଜୟୀ ହେବ ବୋଲି ଏକପ୍ରକାର ଭାବି ନେଇଥିଲା । ଏମିତିକି କଂଗ୍ରେସ ତିନୋଟି ଯାକ ରାଜ୍ୟରେ ସରକାର ଗଠନ କରିବା ନେଇ କିଛି ଏଗଜିଟ୍ ପୋଲ ଆକଳନ କରିଥିଲା । କିନ୍ତୁ ମତଦାନ ଗଣନାରେ ସବୁ ଓଲଟପାଲଟ ହୋଇଯାଇଛି । ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ତିନି ରାଜ୍ୟରେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି ।

୫ ବର୍ଷ ପୂର୍ବରୁ ଯେଉଁଠି ସମସ୍ତଙ୍କୁ ପଛରେ ପକାଇ ବିଜୟ ଲାଭ କରିଥିଲା, ଆଜି ସେସବୁ ଆସନରେ ପରାଜୟର ସ୍ୱାଦ ଚାଖିଛି କଂଗ୍ରେସ । ଦଳ ଜିତିବା ପରେ ଯଦି ଏହାର କାରଣ ଖୋଜାଯାଏ, ପରାଜୟ ପଛର ମଧ୍ୟ କାରଣ ଖୋଜାଯାଇଥାଏ । ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ଜାତି ଗଣନାକୁ ବଡ଼ ପ୍ରସଙ୍ଗ କରିଥିଲା ଦଳ । ଆଉ ଏହାକୁ ଆଧାର କରି ଦଳ ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିଲା । କିନ୍ତୁ ଦଳର ସବୁ ପ୍ରୟାସ ଫେଲ୍ ମାରିଛି । ଆସନ୍ତୁ ନଜର ପକାଇବା ତିନି ରାଜ୍ୟରେ କଂଗ୍ରେସ ପରାଜୟର ପ୍ରମୁଖ କାରଣ ।

ମଧ୍ୟପ୍ରଦେଶ
ଅତ୍ୟଧିକ ଆତ୍ମବିଶ୍ୱାସ ହୋଇପଡ଼ିଥିଲା ଦଳ
କାମ ଦେଲାନି କୋମଳ ହିନ୍ଦୁତ୍ୱ
ତୃଣମୂଳ ସ୍ତରରେ ବିଫଳ
ବିଜେପି ବିରୋଧରେ ସ୍ପଷ୍ଟ ରଣନୀତିର ଅଭାବ
ବଡ଼ ଚେହେରା ବିନା ମଇଦାନକୁ ଓହ୍ଲାଇବା
କମଳନାଥ ଓ ଦିଗବିଜୟ ସିଂହଙ୍କ ବିରୋଧରେ ଟଣାଓଟରା

ରାଜସ୍ଥାନ
ପଦାରେ ପଡ଼ିଥିଲା ଅନ୍ତଃ କନ୍ଦଳ
ଚର୍ଚ୍ଚାରେ ଗେହଲଟ୍-ପାଇଲଟ୍ ଲଢ଼େଇ
ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପଡ଼ିଲା ମହଙ୍ଗା

ଛତିଶଗଡ଼
ବଡ଼ ପ୍ରସଙ୍ଗ ଥିଲା ମଦ ବନ୍ଦ ନିଷ୍ପତ୍ତି
ଦୁର୍ନୀତି ଅଭିଯୋଗ ବିଗାଡ଼ି ଦେଲା ଖେଳ
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମହାଦେବ ଆପ୍ ଦୁର୍ନୀତି ଅଭିଯୋଗ
ବର୍ଷ ତମାମ ଲାଗି ରହିଥିଲା ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ବିବାଦ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପରାଜୟ କଂଗ୍ରେସ ପାଇଁ ବଡ଼ ଝଟ୍କା କୁହାଯାଉଛି । କାରଣ ନିର୍ବାଚନକୁ ଆଉ ମାତ୍ର ୫ମାସରୁ କମ୍ ସମୟ ବାକି ରହିଲା । ଯଦି କଂଗ୍ରେସର ଏଭଳି ସ୍ଥିତି ଲାଗି ରୁହେ, ତାହେଲେ ଏହା ଇଣ୍ଡିଆ ମେଂଟ ପାଇଁ ମଧ୍ୟ ସତର୍କର ଘଂଟି କହିଲେ ଅତ୍ୟୁକ୍ତି ହେବ ନାହିଁ ।