ଆସନ୍ତା ସପ୍ତାହରୁ ଜମ୍ମୁ-କାଶ୍ମୀରରେ ପୁଣି ଚାଲିବ ୪ଜି ମୋବାଇଲ ଇଣ୍ଟରନେଟ୍ ସେବା । ୨୦୧୯ ରୁ ହୋଇଥିଲା ବ୍ୟାନ୍

70

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବ୍ୟାନ ହୋଇଥିବା ୪ ଜି ମୋବାଇଲ ଇଣ୍ଟରନେଟ୍ ସେବା ପୁଣି ଚାଲୁ ହେବାକୁ ଯାଉଛି । ଆସନ୍ତା ସପ୍ତାହରୁ ଏହା ଚାଲୁ ହେବ ବୋଲି ଜମ୍ମୁ-କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତାଙ୍କ କହିବା ମୁତାବକ ଛାତ୍ର ଛାତ୍ରୀ ମାନଙ୍କ ଅନ୍ ଲାଇନ୍ ପାଠ ପଢାରେ ବ୍ୟାଘାତ ହେଉଥିବାରୁ କେନ୍ଦ୍ର ସରକାର ଖୁବଶୀଘ୍ର ଏଠାରେ ୪ ଜି ମୋବାଇଲ ଇଣ୍ଟରନେଟ୍ ସେବା ଚାଲୁ କରିବାକୁ ନିଷ୍ପତ୍ତି କରିଛନ୍ତି    ।
୫ ଅଗଷ୍ଟ ୨୦୧୯ ରେ ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ସେବାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା । ହେଲେ ୨୫ ଜାନୁଆରୀ ୨୦୨୦ ରେ ଜମ୍ମୁ-କାଶ୍ମୀରରେ ୨ ଜି ସେବା ଚାଲୁ କରାଯାଇଥିଲା । ଏହାପରେ ୧୬ ଅଗଷ୍ଟ ୨୦୨୦ ରେ ଓଦ୍ଧମପୁର ଓ ଗାନ୍ଦରବଲ ଜିଲ୍ଲାରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଟ୍ରାଏଲ ବେସିସ୍ ରେ ଆରମ୍ଭ କରାଯାଇଥିଲା । ଯାହା ଏବେ ବି ଚାଲୁ ରହିଛି । ହେଲେ ବାକି ଜିଲ୍ଲା ମାନଙ୍କରେ ଏବେ ବି ୨ ଜି ମୋବାଇଲ ଇଣ୍ଟରନେଟ୍ ସେବା ବଳବତ୍ତର ରହିଛି ।
କହିରଖୁ କି ଯେଉଁଠି ବି ହାଇସ୍ପିଡ୍ ୪ ଜି ସେବା ଚାଲୁ ରହିଛି ସେଠାରେ କେବଳ ପୋଷ୍ଟପେଡ୍ ଗ୍ରାହକ ମାନେ ତାହାର ସୁବିଧା ପାଇପାରୁଛନ୍ତି । ଅନ୍ୟପଟେ ପ୍ରିପେଡ୍ ଗ୍ରାହକ ମାନେ ସେମାନଙ୍କର ଭେରିଫିକେସନ୍ ପରେ ଏହି ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ପାଇ ପାରିବେ ।
ଦୀର୍ଘ ଦେଢବର୍ଷ ହେବ ଜମ୍ମୁ-କାଶ୍ମୀରବାସୀ ଲୋ ସ୍ପିଡ୍ ଇଣ୍ଟରନେଟ୍ ସେବାକୁ ନେଇ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ଏବେ ପ୍ରଚେଷ୍ଟା କରୁଥିବା କୁହାଯାଇଛି ।