କରୋନାରେ ଦେଶରେ ୨୪ ଘଂଟାରେ ୩୮୦ ମୃତ୍ୟୁ : ଆକ୍ରାନ୍ତ ୧୦ ହଜାର ୬୬୭ , ସେପଟେ ଆଜି ୨୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି କରିବେ ଆଲୋଚନା

378

କନକ ବ୍ୟୁରୋ : ଗତ ୨୪ ଘଂଟାରେ ଦେଶରେ ୧୦ ହଜାର ୬୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୮୦ ଜଣଙ୍କ ମୃତ୍ୟୁ ହୋଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୩ ହଜାର ଅତିକ୍ରମ କରିଛି । ୩୮୦ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ମୃତକଙ୍କ ସଂଖ୍ୟା ୯ ହଜାର ୯ ଶହ ଛୁଇଁଛି । ଦେଶରେ ଏବେ ୧ ଲକ୍ଷ ୫୩ ହଜାର ୧୭୮ ଜଣ ଆକ୍ଟିଭ୍ କେସ୍ ରହିଛି । ଚିକିତ୍ସା ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧ ଲକ୍ଷ ୮୦ ହଜାର ୧୨ ଜଣ । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୦ ହଜାର ୭୪୭ରେ ପହଁଚିଲାଣି । ମୃତକଙ୍କ ସଂଖ୍ୟା ୪ ହଜାର ୧୨୮ କୁ ବଢିଗଲାଣି । ମହାରାଷ୍ଟ୍ରରେ ମୋଟ୍ ଆକ୍ଟିଭ୍ କେସ୍ ୫୦ ହଜାର ୫୬୭ ରହିଛି । ସେପଟେ ଦିଲ୍ଲୀରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୨ ହଜାର ୮୨୯କୁ ବୃଦ୍ଧି ହୋଇଛି । ଆକ୍ଟିଭ୍ କେସ୍ ୨୫ହଜାର ୨ଟି ଏବଂ ମୃତ୍ୟୁ ସଂଖ୍ୟା ୧୪ଶହରେ ପହଁଚିଛି ।


ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ଆଜି ଓ ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ଅପରାହ୍ନ ୩ଟାରେ ୨୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଆସନ୍ତାକାଲି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ, ଯେଉଁ ରାଜ୍ୟରେ କରୋନା ଦୃତ ଗତିରେ ବ୍ୟାପୁଛି । ଆସନ୍ତାକାଲି ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଦିଲ୍ଲୀ, ଓଡିଶା ସମେତ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କରୋନା ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେନେଇ ବିଚାର ବିମର୍ଶ କରିବେ । ଦେଶର ଅନଲକ-୧ ପରଠୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକ । ଏହାପୂର୍ବରୁ କରୋନା ସ୍ଥିତି ନେଇ ନରେନ୍ଦ୍ର ମୋଦି ୫ ଥର ବୈଠକ କରିସାରିଛନ୍ତି ।