ରାଜଧାନୀରେ ଅଛି ପ୍ରାୟ ୪୯୦ ବେଆଇନ୍ ଆପାର୍ଟମେଂଟ : ନଗର ଉନ୍ନୟନ ମନ୍ତ୍ରୀ କହିଲେ, ୨ଶହ କୋଠା ଭାଙ୍ଗିବାକୁ ଦିଆଯାଇ ନିର୍ଦ୍ଦେଶ

ରାଜଧାନୀରେ ଅଛି ପ୍ରାୟ ୪୯୦ ବେଆଇନ୍ ଆପାର୍ଟମେଂଟ : ନଗର ଉନ୍ନୟନ ମନ୍ତ୍ରୀ କହିଲେ, ୨ଶହ କୋଠା ଭାଙ୍ଗିବାକୁ ଦିଆଯାଇ ନିର୍ଦ୍ଦେଶ

କନକ ବ୍ୟୁରୋ : ରାଜଧାନୀରେ ମାଳମାଳ ଆପାର୍ଟମେଣ୍ଟ ଦେଖାଯାଉଥିଲେ ହେଁ ଏଥିରୁ ମାତ୍ର ୧୬୪୩ଟି ଆପାର୍ଟମେଣ୍ଟ ଓ ବହୁତଳ କୋଠାର ନିର୍ମାଣ ନକ୍ସାକୁ ବିଡିଏ ଓ ବିଏମ୍‌ସି ଅନୁମୋଦନ କରିଛି ‌‌‌ବୋଲି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା  ବିଧାନସଭାରେ କହିଛନ୍ତି । ରାଜଧାନୀରେ କେତେ ଆପାର୍ଟମେଣ୍ଟ ଅଛି, ସେଥିରୁ କେତୋଟି ବେଆଇନ୍ ଘୋଷିତ ହୋଇଥିବା ନେଇ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ରାଜଧାନୀରେ ୪୮୭ଟି ଆପାର୍ଟମେଣ୍ଟକୁ ବେଆଇନ ଘୋଷଣା କରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମସ୍ତ ଆପାର୍ଟମେଣ୍ଟ ଉପରେ କୋର୍ଟରେ ମାମଲା ଚାଲିବା ପରେ ୨୦୦ଟି ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାବାଦ୍ ୫୯ଟି ମାମଲା ଡ୍ରପ୍ ହୋଇଛି। ଅର୍ଥାତ୍ ଏହି ଆପାର୍ଟମେଣ୍ଟ ଭଙ୍ଗା ହେବନି ବୋଲି ନିର୍ଦ୍ଦେଶନାମା ମିଳିସାରିଛି । ୯୨ଟି ଆପାର୍ଟମେଣ୍ଟ ଉପରେ ଚାଲିଥିବା ମାମଲାଗୁଡ଼ିକ ବିଚାରାଧୀନ ଥିବାବେଳେ ୧୩୬ଟି ଆପାର୍ଟମେଣ୍ଟର ମାମଲା ସମ୍ପର୍କରେ ମନ୍ତ୍ରୀ କିଛି ଉତ୍ତର ରଖିନାହାନ୍ତି । ସେମାନଙ୍କ ସ୍ଥିତି କ’ଣ ଅଛି ସେନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ କିଛି ଜଣାଯାଇନାହିଁ । ବେଆଇନ ଆପାର୍ଟମେଣ୍ଟକୁ କିପରି ବିଜୁଳି ଓ ପାଣି ସଂଯୋଗ ଦିଆଯାଇଛି ସେ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ, ଏ ନେଇ ତଥ୍ୟ ସଂଗ୍ରହ ହେଉଛି।

ସୂଚନାଯୋଗ୍ୟ ଯେ, ବେଆଇନ ଘୋଷଣା ହୋଇଥିବା କୌଣସି ବି ଆପାର୍ଟମେଣ୍ଟକୁ ବିଏମ୍‌ସି କି ବିଡିଏ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାଙ୍ଗିପାରିନି। ଏପରିକି ରାଜଧାନୀରେ ବହୁ ଆପାର୍ଟମେଣ୍ଟ ବିଡିଏ ଓ ବିଏମ୍‌ସିର ବିନା ଅନୁମୋଦନରେ ନିର୍ମାଣ ହେଉଥିଲେ ହେଁ ଏନଫୋର୍ସମେଣ୍ଟ ଟିମ୍ କିଛି ବି ପଦକ୍ଷେପ ନେଇପାରୁନି। ଫଳରେ ରାଜଧାନୀରେ ଦିନକୁ ଦିନ ବେଆଇନ ଆପାର୍ଟମେଣ୍ଟ ଓ ବହୁତଳ କୋଠା ସଂଖ୍ୟା ବଢ଼ିବାରେ ଲାଗିଛି।

ଅପରପକ୍ଷେ ରାଜଧାନୀରେ ଏତେ ବେଆଇନ କୋଠା ଥିବା ସତ୍ତ୍ବେ ବିଡିଏ କି ବିଏମ୍‌ସି କୌଣସି ପଦକ୍ଷେପ ନନେବା ନେଇ ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ବିଡିଏର ଏନଫୋର୍ସମେଣ୍ଟ ଶାଖା ନିକଟରେ ଯେତେବେଳେ ମାମଲାର ଯେଉଁ ସ୍ଥିତି ଥିଲା ତାହା ଦିଆଯାଇଛି । ଏବେ ବହୁ ତଥ୍ୟ ଅପ୍‌ ଟୁ ଡେଟ୍‌ ହୋଇସାରିଲାଣି । ବହୁ ଆପାର୍ଟମେଣ୍ଟ ଉଚ୍ଛେଦ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସ୍ଥଗିତାଦେଶ ଆଣିଛନ୍ତି; ତେଣୁ ଉଚ୍ଛେଦ ହୋଇପାରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe