ସତ ହେଲା ଟେଣ୍ଡର ଫିକ୍ସିଂ ଅଭିଯୋଗ । ବାତିଲ ହେଲା ୪୮ଟି ଲଘୁ ଖଣିଜ ଟେଣ୍ଡର ।

104

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ବାତିଲ ହେଲା ମାଲକାନଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡର । ଓଡିଶା ସରକାରଙ୍କ ରାଜସ୍ୱ ବିଭାଗର ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାପାଳ ସମସ୍ତ ୪୮ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ କରିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ସରଜମିନ ତଦନ୍ତ ଓ ତାଙ୍କ ସୁପାରିଶ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଏବଂ ସାନି ଟେଣ୍ଡର ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ପୂର୍ବତନ ଜିଲ୍ଲାପାଳ ଡ. ୟେଦୁଲା ବିଜୟ ୨ଟି ଟେଣ୍ଡର ବକ୍ସ ନିଜ ଘରକୁ ନେଇ ଆନ୍ଧ୍ରର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା । ତେବେ ଟେଣ୍ଡର ବାତିଲ ହୋଇଥିବା ବେଳେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।

ଗତ ମାର୍ଚ୍ଚ ମାସରେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଅନେକ ବୈଧ ଖଣି ଲିଜକୁ ବାତିଲ କରି ଲଘୁ ଖଣିଜ ପଦାର୍ଥର ଲିଜ ଲାଗି ଟେଣ୍ଡର ଆହ୍ୱାନ କରିଥିଲେ । ଆଉ ଟେଣ୍ଡର ସମୟ ସୀମା ସରିବା ପରେ ଦୁଇଟି ଟେଣ୍ଡର ବାକ୍ସକୁ ନିଜ ଘରୁକୁ ନେଇ ଯାଇଥିଲେ । ଟେଣ୍ଡର ବକ୍ସକୁ ଦୁଇ ଦିନ ଧରି ନିଜ ଘରେ ରଖି, କାଗଜପତ୍ର ହେରଫେର କରି ଆନ୍ଧ୍ରର ଏକ କମ୍ପାନୀକୁ ବେଆଇନ୍ ଭାବେ ଟେଣ୍ଡର ପ୍ରଦାନ କରିଥିଲେ । କୋଟିଏ ଟଙ୍କାର ସଲଭେନ୍ସି ବାବଦକୁ ଦୁଇ କୋଟିରୁ ଅଧିକ ଟଙ୍କା ମୁଲ୍ୟର ଧରିଗୁଡା–ଏ, ଧରିଗୁଡା–ବି, ମାଲକାନଗିରି–ଏ, ମାଙ୍ଗିପାଲି, ଇଦିକୋଣ୍ଡା, ପର୍ସନପାଲି ଖଣିକୁ ଚତୁରତାର ସହ ହାତେଇ ଥିଲା ଆନ୍ଧ୍ର କମ୍ପାନୀ । ଆନ୍ଧ୍ର କମ୍ପାନୀ ଲଘୁ ଖଣିଜ ଟେଣ୍ଡର ହାତେଇବା ପଛରେ ପୂର୍ବତନ ଜିଲ୍ଲାପାଳ ଡ. ୟେଦୁଲା ବିଜୟ ହାତ ଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା ।

ଅଭିଯୋଗ ପରେ ପୁରା ଘଟଣାର ପୁଙ୍ଖାନୁଫୁଙ୍ଖ ତଦନ୍ତ କରି ଟେଣ୍ଡର ବାତିଲ କରିବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ ଦକ୍ଷିଣାଂଚଳ ରାଜସ୍ୱ କମିଶନର । ରାଜସ୍ୱ ବିଭାଗର ନିର୍ଦ୍ଦେଶ କ୍ରମେ ୬ଟି ତହସିଲ ଅଧିନରେ ଥିବା ୪୮ଟି ଲଘୁ ଖଣି ଲିଜ ଟେଣ୍ଡରକୁ ବାତିଲ କରାଯାଇଛି । ଏବେ ସାନି ଟେଣ୍ଡର ଆହ୍ୱାନ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବର୍ତମାନର ଜିଲ୍ଲାପାଳ ବିଶାଳ ସିଂ । ତେବେ ଗତ ୮ ମାସ ଧରି ଜିଲ୍ଲାରେ ଗୋଡି ପଥର କୃତ୍ରିମ ଅଭାବ ସୃଷ୍ଟି ହୋଇଥିବାରୁ ନୂତନ ଟେଣ୍ଡର କାର୍ଯ୍ୟକାରୀ ନ ହେବା ଯାଏଁ ବୈଧ ଥିବା ଲିଜଧାରିଙ୍କୁ ଖନନ କରିବା ଲାଗି ଅନୁମତି ଦେବାକୁ ଦାବି ହୋଇଛି

ପୂର୍ବରୁ ଆନ୍ଧ୍ରର ଠିକାଦାର ଚାଭା ବେଣୁଗୋପାଳଙ୍କ ସଲଭେନ୍ସି ସାର୍ଟିଫିକେଟକୁ ମଧ୍ୟ ବାତିଲ କରିଥିଲେ ଜିଲ୍ଲାପାଳ । ଚଭା ବେଣୁଗୋପାଳ ମୋଟୁ ତହସିଲ ଅନ୍ତର୍ଗତ ପୁଶୁଗୁଡା ମୌଜାରେ ବେଆଇନ ଭାବେ ୧୦ ଏକରରୁ ଅଧିକ ଜଙ୍ଗଲ ଓ ଗୋଚର ଜମି ଅକ୍ତିଆର କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା । ଏହି ପୁରା ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ ।