ମାଲକାନଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡରରେ ଦୁର୍ନୀତି ମାମଲା । ବାତିଲ ହେଲା ସମସ୍ତ ୪୮ଟି ଟେଣ୍ଡର,ଖୁବଶୀଘ୍ର ସାନି ଟେଣ୍ଡର ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି ।

113

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡର ମାମଲା । ଶେଷରେ ବାତିଲ ହେଲା ଲଘୁ ଖଣିଜ ନିଲାମ ଟେଣ୍ଡର । ଓଡିଶା ସରକାରଙ୍କ ରାଜସ୍ୱ ବିଭାଗର ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲାପାଳ ସମସ୍ତ ୭ଟି ତହସିଲର ୪୮ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ କରିଛନ୍ତି ଜିଲ୍ଲାପାଳ ବିଶାଳ ସିଂ ।

ଗତ ଜୁନ ମାସ ୨୨ ତାରିଖରେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଡ. ୟେଦୁଲା ବିଜୟଙ୍କ ନାଁରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆସିଥିଲା । ପୂର୍ବତନ ଜିଲ୍ଲାପାଳ ଡ. ୟେଦୁଲା ବିଜୟ ଆନ୍ଧ୍ରର ଏକ ନିର୍ଦ୍ଦିର୍ଷ୍ଟ କମ୍ପାନୀକୁ ଅନୁକମ୍ପା ଦେଖାଇ ଟେଣ୍ଡର ବକ୍ସ ନିଜ ଘରକୁ ନେଇ କାଗଜପତ୍ର ହେରଫେର କରିଥିବା ଅଭିଯୋଗ ହୋଇଥିଲା । କନକ ନ୍ୟୁଜ ଏହି ପୂରା ମାମଲାର ପୁଙ୍ଖାନୁପୁଙ୍ଖ ଖବର ପ୍ରସାରଣ କରିଥିଲା ।

ଦକ୍ଷିଣାଂଚଳ ରାଜସ୍ୱ କମିଶନର ଏହି ବିବାଦୀୟ ଟେଣ୍ଡର ପ୍ରକ୍ରିୟାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଆରଡିସିଙ୍କ ସୁପାରିଶ -କ୍ରମେ ସମସ୍ତ ୪୮ଟି ଖଣି ଟେଣ୍ଡରକୁ ବାତିଲ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଖୁବ ଶୀଘ୍ର ଏହି ସମସ୍ତ ଖଣି ଲାଗି ନିୟମ ଅନୁଯାୟୀ ନୂତନ ଟେଣ୍ଡର ଆହ୍ୱାନ କରାଯିବ ବୋଲି ବର୍ତମାନର ଜିଲ୍ଲାପାଳ ବିଶାଳ ସିଂ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ।