ନାଳରେ ଭାସି କୁନି ପୁଅର ଜୀବନ ଚାଲିଗଲା । ତଥାପି ଚେତିଲାନି ପ୍ରଶାସନ, ଏବେବି ମୁକୁଳା ପଡିଛି ସେହି ଡ୍ରେନ୍ ।

170

କନକ ବ୍ୟୁରୋ : ମୁକୁଳା ଡ୍ରେନରେ ପଡି ଜୀବନ ଯିବାର ୪୮ ଘଣ୍ଟା ପରେ ମଧ୍ୟ ବିଏମସି, ନଗର ଉନ୍ନୟନ ବିଭାଗ କିମ୍ବା ସ୍ୱରେଜ୍ ବୋର୍ଡର ନିଦ ଭାଙ୍ଗିନି । ଏତେ ବଡ ଅଘଟଣ ଘଟିବା ପରେ ଆଶା କରାଯାଉଥିଲା, ବୋଧହୁଏ ଚେତିବ ପ୍ରଶାସନ । ଆଉ, ମୁକୁଳା ଡ୍ରେନ ଉପରେ ସ୍ଲାବ ପଡିବ ନହେଲେ ଗାର୍ଡ ୱାଲର ବ୍ୟବସ୍ଥା କରାଯିବ । କିନ୍ତୁ ପୂର୍ବରୁ ଯେମିତି ଥିଲା ଏବେବି ସେମିତି ରହିଛି ରାଜଧାନୀର ଡ୍ରେନ୍ ।

ବିଏମସି କେମିତି ନିଦା ବିଷ୍ଣୁ ସାଜିଛି ଏ ହେଉଛି ତାର ନିଛକ ଉଦାହରଣ । ନାଳରେ ପଡି ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ଭାସିଯିବା ପରେ ଆଶା କରାଯାଉଥିଲା ରାଜଧାନୀର ଅନ୍ୟ କେଉଁଠି ନହେଲେ ବି ସେହି ସ୍ଥାନରେ ଆଉ ଯେମିତି କିଛି ଅଘଟଣ ନଘଟିବ, ସେଥିପାଇଁ ପଦକ୍ଷେପ ନେବ ପ୍ରଶାସନ । ଗାର୍ଡ ୱାଲ କିମ୍ବା ଚାରିପଟରୁ ଘେରାଉ କରିବ । କିନ୍ତୁ ଏପର୍ଯ୍ୟନ୍ତ ସେଭଳି କୌଣସି ପଦକ୍ଷେପ ନେଇ ନାହିଁ ।

କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଭୁବନେଶ୍ୱରର ଅଧାରୁ ଅଧିକ ଡ୍ରେନ୍ ମୁକୁଳା ପଡିଛି । ସହରର ଯୁଆଡେ ଚାହିଁବ ଖାଲି ଖୋଲାମେଲା ଡ୍ରେନ୍ । ଆଉ ଏହାକୁ ଦେଖି ସହରର ବାପା-ମା’ମାନେ ଅସୁରକ୍ଷିତ ଡ୍ରେନ୍ ଆଡକୁ ଚାହୁଁଛନ୍ତି, କାଳେ ଘର ପାଖର ମୁକୁଳା ଡ୍ରେନ୍ ତାଙ୍କ ପିଲା ପାଇଁ ବିପଦ ସୃ୍ଷ୍ଟି କରିବ ସେହି କଥା ଭାବୁଛନ୍ତି ।

ମୁକୁଳା ଡ୍ରେନ୍ ଭଳି ରାଜଧାନୀର ଅନେକ ସ୍ଥାନରେ ରାସ୍ତା କଡରେ ଏମିତି ଅନେଇ ରହିଛି ବିରାଟ ବିରାଟ ଗାଢ଼ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଚୁପ୍ ବସିଛି । ଗାଢରେ ଛୋଟ ବଡ ଦୁର୍ଘଟଣା ଘଟିଥିବାରୁ ଗଛ ଡାଳରେ ଗାଢକୁ ଘୋଡାଇ ଦେଇଛନ୍ତି ସ୍ଥାନୀୟ ଲୋକ ।

ଡ୍ରେନର ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ବଜେଟ୍ କରୁଛନ୍ତି । କିନ୍ତୁ ସେସବୁ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି ? କାହିଁକି ଦୀର୍ଘ ଦିନ ଧରି ମୁକୁଳା ପଡୁଛି ଡ୍ରେନ୍? ସରକାରୀ ସ୍ତରରେ ଦାୟିତ୍ୱବୋଧର ଅଭାବ ଏହା ପଛର କାରଣ କି ?