କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଏବଂ ସୋନପୁରରେ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ଏପରି ୪୮ ଘଣ୍ଟିଆ ବନ୍ଦ ଡାକରା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଏଥିସହିତ ହାଇକୋର୍ଟ ବେଞ୍ଚ ଆନ୍ଦୋଳନର ଇତିହାସରେ ଏହା ଏକ ନୂଆ ଫର୍ଦ ଯୋଡ଼ି ଦେଇଛି। ଗତ ୧୯ ତାରିଖରୁ ସମ୍ବଲପୁର ସମେତ ୪ ଜିଲ୍ଲାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିଥିବାବେଳେ ୨୯ ଓ ୩୦ ତାରିଖର ମହାବନ୍ଦରେ ଦୋକାନବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିବ। ଏଥିସହିତ ଗାଡ଼ିମଟର ଓ ଟ୍ରେନ ଚଳାଚଳକୁ ମଧ୍ୟ ୪୮ ଘଣ୍ଟା ପାଇଁ ବନ୍ଦ କରାଯିବ।
ଏଥିପାଇଁ ସମ୍ବଲପୁର ଓକିଲ ସଂଘର ୫୦ ମହିଳାଙ୍କ ସହିତ ୧୫୦୦ କର୍ମକର୍ତ୍ତା ଜିଲ୍ଲାର ପ୍ରମୁଖ ଛକ, ଜାତୀୟ ରାଜପଥ, ରାଜ୍ୟ ରାଜପଥରେ ରହି ପିକେଟିଂ କରିବେ। ସମସ୍ତ ରାଜନୈତିକ ଦଳ ଓ ୧୮୦ ସାମାଜିକ ସଙ୍ଗଠନ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ସେମାନେ ମଧ୍ୟ ଏଥିରେ ସାମିଲ ହେବେ। ସମ୍ପୂର୍ଣ୍ଣ ୪୮ ଘଣ୍ଟା ପାଇଁ ବନ୍ଦ ଡାକରା ଦିଆଯାଇଥିବାରୁ ଆନ୍ଦୋଳନକାରୀମାନେ ଦିନ ରାତି ପିକେଟିଂ କରିବେ। ଏଥିପାଇଁ ପର୍ଯ୍ୟାୟକ୍ରମେ ଆଇନଜୀବୀଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟନ କରାଯାଇଛି। କିଏ କେଉଁଠି କେତେ ସମୟ ପର୍ଯ୍ୟନ୍ତ ରହିବେ ସେ ନେଇ ତାଲିକା ପ୍ରସ୍ତୁତ ହୋଇଛି। ଛକମାନଙ୍କରେ ଟେଣ୍ଟ ଲଗାଯାଇଛି। କେବଳ ମୁଖ୍ୟ ରାଜପଥ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଯିଏ ଯେଉଁଠି ପାରିବ ବନ୍ଦ କରିବାକୁ ଆହ୍ବାନ ଦିଆଯାଇଛି। ଏଥିପାଇଁ କିଛି ମାସ ହେଲା କୃଷକ ସଙ୍ଗଠନର ସହାୟତାରେ ଓକିଲ ସଂଘ କର୍ମକର୍ତ୍ତାମାନେ ବିଭିନ୍ନ ଗାଁକୁ ଯାଇ ଜନ ସମ୍ପର୍କ ବୈଠକ କରିଥିଲେ।
ଟ୍ରେନ ଚଳାଚଳ ବନ୍ଦ ପାଇଁ ଓକିଲ ସଂଘର କର୍ମକର୍ତ୍ତାମାନେ କ୍ଷେତରାଜପୁର ଷ୍ଟେସନ, ଫାଟକ ଷ୍ଟେସନ, ହୀରାକୁଦ ଷ୍ଟେସନ ସମେତ ବିଭିନ୍ନ ଷ୍ଟେସନରେ ପିକେଟିଂ କରିବେ। ବନ୍ଦରୁ କେବଳ ଆମ୍ବୁଲାନ୍ସ ସେବାକୁ ବାଦ୍ ଦିଆଯାଇଛି। ପ୍ରତ୍ୟେକ ବ୍ୟକ୍ତି ହାଇକୋର୍ଟ ବେଞ୍ଚ ଆନ୍ଦୋଳନରେ ସାମିଲ ହୋଇ ଅତି ଜରୁରୀ ନହେଲେ ଘରୁ ନବାହାରିବା ପାଇଁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ, ମହାବନ୍ଦରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ୯ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ। ଏସପିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୨ ଜଣ ଏଏସପି, ୬ ଡିଏସପି, ୪୦ ଅଧିକାରୀ ରହିବେ। ଏଥିମଧ୍ୟରୁ କେବଳ ୭ ପ୍ଲାଟୁନ ସମ୍ବଲପୁର ସହରରେ ମୁତୟନ ହେବେ ବୋଲି ଏସପି ଅମରେନ୍ଦ୍ର ରଣା କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/sab.jpg)