ଆଜି ବାହୁଡାଯାତ୍ରା : ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ; ଡ୍ରୋନ ଉଡିବ, ଲୋକଙ୍କ ଛାତ ଉପରେ ରହିବ ନଜର

94

କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା । ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ । ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲଗାଇଛି । ବଡ଼ଦାଣ୍ଡ ପାର୍ଶ୍ବରେ ଥିବା ହୋଟେଲ, ଲଜ୍‌, ଧର୍ମଶାଳା ଓ ମଠ ଆଦିକୁ ୪ ଦିନ ପାଇଁ ବନ୍ଦ ଘୋଷଣା କରିଛି । ଏହି ଚାରି ଦିନ କୌଣସି ପର୍ଯ୍ୟଟକ ବଡ଼ଦାଣ୍ଡ କଡ଼ରେ ଥିବା ହୋଟେଲ, ଲଜ୍‌, ଧର୍ମଶାଳା ଓ ମଠମାନଙ୍କରେ ରହିପାରିବେ ନାହିଁ । ବଡ଼ଦାଣ୍ଡ ସଂଲଗ୍ନ ଘରଗୁଡ଼ିକରେ ରହୁଥିବା ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି ସରିଛି ।

ବଡ଼ଦାଣ୍ଡ‌ କଡ଼ରେ ରହୁଥିବା ବାସିନ୍ଦାମାନେ ସେମାନଙ୍କ ଘରୁ ବାହାରି ରଥଯାତ୍ରା ଦର୍ଶନରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । କେହି ବି ଛାତ ଉପରୁ ଅବା ବାଲ୍‌କୋନିରୁ ରଥଯାତ୍ରା ଦେଖିପାରିବେ ନାହିଁ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ ଫୋର୍ସ ସହ ଡ୍ରୋନ୍ କ୍ୟାମେରା ଘର ଉପରେ ନଜର ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବାହୁଡ଼ାଯାତ୍ରାରେ କେବଳ ଜରୁରୀକାଳୀନ ସେବାକୁ ବାଦ୍‌ଦେଲେ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ବଡ଼ଦାଣ୍ଡରେ ରହିଥିବା ହୋଟେଲ, ଲଜ୍‌, ଧର୍ମଶାଳା, ଗେଷ୍ଟ ହାଉସ୍‌ ଆଦି ଗତକାଲିଠାରୁ ବନ୍ଦ ଘୋଷଣା କରାଯାଇଥିଲା ।

ହୋଟେଲ, ଲଜ୍‌ ମାଲିକଙ୍କୁ ସ୍ଥାନୀୟ ଥାନାକୁ ଡକାଇ ଏନେଇ ଚୁକ୍ତିନାମା ଲେଖାଇ ନିଆଯାଇଛି । ପୁରୀ ପୁଲିସ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥାର ସହ‌ଯୋଗରେ ବଡ଼ଦାଣ୍ଡ ସଂଲଗ୍ନ ଘରେ ରହୁଥିବା ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି କରାଯାଇଛି । ରଥଯାତ୍ରା ଭଳି ବାହୁଡ଼ାଯାତ୍ରାରେ ବି କର୍ଫ୍ୟୁର ୪୮ ଘଣ୍ଟା ଜିଲ୍ଲାର ୮ ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ କରାଯାଇଛି । ବାହାର ଜିଲ୍ଲା ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହାବାଦ୍‌ ପୁରୀର ତିନି ପ୍ରମୁଖ ପ୍ରବେଶ ପଥ ବାଟଗାଁ ଛକ, ମଙ୍ଗଳାଘାଟ ଛକ ଓ ଗ୍ରିଡ୍‌ ଷ୍ଟେସନ୍‌ ଛକକୁ ବି ସିଲ୍‌ କରି ଦିଆଯାଇଛି । ୬୦ରୁ ଅଧିକ ପ୍ଲାଟୁନ୍‌ ଫୋର୍ସ ଓ ୩ଶହରୁ ଅଧିକ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି।