ହାଇକୋର୍ଟ ବେଂଚ ଦାବିରେ ପଶ୍ଚିମ ଓଡ଼ିଶା ପୂରା ଠପ୍ । ଅଖ-ଚକ ସବୁ ବନ୍ଦ

109

କନକ ବ୍ୟୁରୋ : ପୁଣି ତେଜିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ଦାବି । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ଆଜିଠାରୁ ୪୮ଘଂଟିଆ ବନ୍ଦ୍ ପାଳନ କରାଯାଉଛି । ଏବେ ନୁହେଁ ତ କେବେ ନୁହେଁ ନାରା ଦେଇ ଆଇନଜୀବୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶତାଧିକ ସମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ । ଆଉ ଏସବୁ ଭିତରେ ଆନ୍ତରିକତା ହେଉ ବା ବାଧ୍ୟବାଧକତା, ଏକାଧିକ ଓକିଲ ସଂଗଠନ ଏବଂ ସମାଜିକ ସଂଗଠନର ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ସବୁ ରାଜନୈତିକ ଦଳର ନେତା ।

ଅଖ-ଚକ ସବୁ ବନ୍ଦ । ସ୍କୁଲ କଲେଜରୁ ଆରମ୍ଭ କରି ଦୋକାନ ବଜାର ସବୁଠି ଝୁଲୁଛି ତାଲା । ଏବେ ନୁହେଁ ତ କେବେ ନୁହେଁର ନାରା ଦେଇ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡରେ ପହଂଚାଇବା ପାଇଁ ପଶ୍ଚିମ ଓଡ଼ିଶାରେ ପାଳନ ହେଉଛି ମହାବନ୍ଦ । ବଲାଙ୍ଗିର ଜିଲ୍ଲା ବ୍ୟତୀତ ସମସ୍ତ ୯ଟି ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଂଚଳରେ ଏହି ମହାବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ଏ ଦାବି ଆଜିର ନୁହେଁ, ୫୦ ବର୍ଷରୁ ଅଧିକ ସମୟ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚର ଦାବି ହୋଇ ଆସୁଛି । କେତେବେଳେ କେନ୍ଦ୍ର କୋର୍ଟରେ ବଲ୍ ରହୁଛି, ତ ଆଉ କେତେବେଳେ ରାଜ୍ୟ କୋର୍ଟରେ । ଏସବୁ ଭିତରେ ଅନେକ କମିଶନ ବସିଛି । ହେଲେ ହାଇକୋର୍ଟ ବେଂଚ୍ ନେଇ କୌଣସି ନିଷ୍ପତି ଚୁଡାନ୍ତ ହୋଇପାରିନି । ଯାହା ଫଳରେ ତୀବ୍ରରୁ ତୀବ୍ରତର ହେଉଛି ଆନ୍ଦୋଳନ । ପ୍ରାୟ ୩ମାସ ଧରି ପଶ୍ଚିମ ଓଡ଼ିଶାରେ କୋର୍ଟ କଚେରୀରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଏବେ ଦିଆଯାଇଛି ମହାବନ୍ଦ ଡାକରା । ଆନ୍ତରିକତା ହେଉ ବା ବାଧ୍ୟବାଧକତା, ଏକାଧିକ ଓକିଲ ସଂଘଠନ ଏବଂ ସମାଜିକ ସଂଗଠନର ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସବୁ ରାଜନୈତିକ ଦଳର ନେତା ।

ଯେତେବେଳେ ବି ନିର୍ବାଚନ ଆସେ, ସବୁ ରାଜନୈତିକ ଦଳର ଲମ୍ବା ପ୍ରତିଶ୍ରୁତି ଭିତରେ ଥାଏ-ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚର ପ୍ରତିଶ୍ରୁତି । ପ୍ରତିଶ୍ରୁତି ପାଇ ଲୋକ ଆଶା ବାନ୍ଧନ୍ତି, ହେଲେ ନିର୍ବାଚନ ସରିଗଲେ, ଯେମିତି ଭୁଲି ଯାଆନ୍ତି ରାଜନୈତିକ ଦଳ । ବଡ କଥା ହେଉଛି- ୨୦୦୭ରୁ ଆରମ୍ଭ କରି ୨୦୧୩, ୨୦୧୪ ଏକାଧିକ ଥର କେନ୍ଦ୍ରକୁ ଏହି ପ୍ରସଙ୍ଗରେ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶେଷ ଥର ପାଇଁ ଗତ ସେପଟେମ୍ବର ମାସରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଜବାବରେ ସଂପୂର୍ଣ୍ଣ ପ୍ରସ୍ତାବ, ସ୍ଥାନ ଚିହ୍ନଟ, ଖର୍ଚ୍ଚ ବିବରଣୀ ଏବଂ ହାଇକୋର୍ଟ ମତାମତ ସଂପର୍କରେ ଯେତେବେଳେ କେନ୍ଦ୍ର ସରକାର ଲେଖିଲେ ରାଜ୍ୟ ସରକାର ଚୁପ୍ ରହିଲେ । ଏମିତି କି ସି.ଆର ପାଲ୍ କମିଶନଙ୍କ ରିପୋର୍ଟ ବି ସାର୍ବଜନୀନ ହେଲାନି । ଆଉ ଏସବୁ ଭିତରେ ବର୍ଷ ବର୍ଷ ଗଡୁଛି ସିନା, ଚୁଡାନ୍ତ ନିଷ୍ପତି କିଛି ହୋଇପାରୁନି । ଆଉ ଏପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ୍ ଦାବିକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି