ରାତି ପାହିଲେ ଘୋଷ ଯାତ୍ରା । ରଥ ଖଳାକୁ ଆଜି ଆସିବ ଶ୍ରୀଜୀଉଙ୍କ ଆଜ୍ଞାମାଳ । ସିଂହଦ୍ୱାର ଚକଡାକୁ ଯିବ ତିନି ରଥ

149

କନକ ବ୍ୟୁରୋ : ରାତି ପାହିଲେ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ, ମହାପ୍ରଭୁଙ୍କ ସବୁଠାର ବଡ ଯାତ୍ରା ଘୋଷଯାତ୍ରା । ଏଥିପାଇଁ ଆଜି ତିନି ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ । ନୀତି ନିର୍ଘଂଟ ଅନୁଯାୟୀ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସାଢେ ୮ଟା ସୁଦ୍ଧା ସଂପନ୍ନ ହେବ, ଏହାପରେ ୮ଟା ୪୫ ମିନିଟରେ ଅନୁଷ୍ଠିତ ହେବ ଆଜ୍ଞାମାଳ ବିଜେ ନୀତି । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଲ ଲାଗି ହେବ । ଏହାପରେ ତିନି ରଥକୁ ସିଂହଦ୍ୱାର ଚକଡାକୁ ନିଆଯିବ । ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ଏଡିଜି । ଅତିରିକ୍ତ ଡ଼ିଜି ରାଧାକୃଷ୍ଣ ଶର୍ମା ଓ କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ପୁରୀରେ ପହଂଚି ସମୀକ୍ଷା ବୈଠକ କରିଛନ୍ତି । ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହରକୁ ୧୨ଟି ଜୋନ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି ।
ସେପଟେ ରଥ ଟାଣିବା ପାଇଁ ଆଖଡା ଶାଳରେ ନିଜକୁ ପ୍ରସ୍ତୁତ କରୁଛନ୍ତି ସେବାୟତ । ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କୁ ପୁରୀ ମନା ହୋଇଛି । କେବଳ ସେବାୟତମାନେ ରଥ ଟାଣିବେ ।ସେପଟେ ରଥଯାତ୍ରା ପାଇଁ ପୁରୀ ବଡ ଦାଣ୍ଡ ପୁଲିସ ଛାଉଣୀରେ ପରିଣତ ହୋଇଛି । ସେହିପରି ରଥଯାତ୍ରା ଯୋଗୁଁ ପୁରୀରରେ ଆଜି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା କର୍ଫ୍ୟୁ କଟକଣା ବଳବତର ରହିବ ।