ବାୟୁ ପ୍ରଦୂଷଣର ପଡିପାରେ ସାଂଘାତିକ ପ୍ରଭାବ? ୪୮ କୋଟି ଭାରତୀୟଙ୍କ ହାରିହାରି ଆୟୁଷ କମିପାରେ ୯ ବର୍ଷ, ଚକିତ କରିଦେବା ଭଳି ରିପୋର୍ଟ ଦେଲା ଆମେରିକାର ଏକ ବିଶ୍ୱବିଦ୍ୟାଳୟ ।

148

କନକ ବ୍ୟୁରୋ : ଭାରତରେ ଶିଳ୍ପ ବିକାଶ ସହ ପ୍ରଦୂଷଣ ମାତ୍ରା ଚିନ୍ତାଜନକ ଭାବେ ବଢିଚାଲିଛି । ବିଶେଷକରି ବଢିଚାଲିଥିବା ବାୟୁ ପ୍ରଦୂଷଣର କୁପ୍ରଭାବ ଲୋକମାନଙ୍କ ଶରୀର ଉପରେ ପଡୁଛି । ଆମେରିକାର ସିକାଗୋ ବିଶ୍ବବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ (ଏପିକ୍) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣ ଯୋଗୁଁ ଭାରତର ୪୦ ପ୍ରତିଶତ ଜନତାଙ୍କ ହାରାହାରି ଆୟୁଷ ୯ ବର୍ଷ କମିଯିବ ।

ଏପିକର ରିପୋର୍ଟ ଅନୁସାରେ ଉତ୍ତର, ପୂର୍ବ ଓ କେନ୍ଦ୍ରୀୟ ଭାରତର ପ୍ରାୟ ୪୮ କୋଟି ଲୋକ ମାତ୍ରାଧିକ ପ୍ରଦୂଷଣ ମଧ୍ୟରେ ରହୁଛନ୍ତି । ଏସବୁ ସ୍ଥାନ ମଧ୍ୟରେ ରାଜଧାନୀ ଦିଲ୍ଲୀ ବି ରହିଛି । ଆହୁରି ଚିନ୍ତାଜନକ କଥା ହେଉଛି ଦିନକୁ ଦିନ ଭାରତର ନୂଆ ନୂଆ ଅଞ୍ଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଉଦାହରଣସ୍ବରୂପ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବାୟୁ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି ।

ତେବେ ଏପିକ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୦୧୯ରେ ଆରମ୍ଭ ହୋଇଥିବା ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ (ଏନସିଏପି)କୁ ପ୍ରଂଶସା କରାଯାଇଛି । ଏନସିଏପିର ଲକ୍ଷ୍ୟ ହାସଲ ହେଲେ ଭାରତୀୟଙ୍କ ହାରାହାରି ଆୟୁଷ ୧.୭ ବର୍ଷ ବଢିବ । ଦିଲ୍ଲୀବାସୀଙ୍କ ହାରାହାରି ଆୟୁଷ ୩.୧ ବର୍ଷ ବଢିଯିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏନସିଏପିର ଲକ୍ଷ୍ୟ ଅନୁସାରେ ୨୦୨୪ ସୁଦ୍ଧା ଦେଶର ୧୦୨ଟି ପ୍ରଦୂଷିତ ସହରର ପ୍ରଦୂଷଣ ମାତ୍ରା ୨୦ରୁ ୩୦ ପ୍ରତିଶତ ହ୍ରାସ କରାଯିବ ।